ଏଲଏସିରେ ଟ୍ରେଞ୍ଚ ଖୋଲିଥିଲା ଚୀନ, ଗୁଳିଗୋଳା ରଖି ଭାରତକୁ କରିଥାନ୍ତା ଆଟାକ୍

ବେଜିଂ: ପଦାକୁ ଆସୁଛି ଭାରତ ବିରୋଧରେ ଚୀନ କରିଥିବା ଚକ୍ରାନ୍ତ । ଭାରତକୁ ଟକ୍କର ଦେବା ଲାଗି ଏଲଏସି ନିକଟରେ ତିଆରି କରିଥିଲା ବୃହତ କୋଠା । ଭାରତୀୟ ସେନା ଯବାନ ପାଟ୍ରୋଲିଂ କରୁଥିବା ସ୍ଥାନ ନିକଟରେ ଏହି କୋଠା ଦୁଇବର୍ଷ ତଳୁ ନିର୍ମିତ ହୋଇଥିଲା । କୋଠା ଚାରିପଟେ ଅନେକ ଟ୍ରେଞ୍ଚ ଖୋଳାଯାଇଥିଲା । ଏହାସହ ମୋର୍ଟାର ଓ ଗୁଳିଗୋଳା ରଖିବା ଲାଗି କୋଠା ଚାରିପଟେ ବ୍ୟବସ୍ଥା ରହିଥିଲା ।

ମାତ୍ର ଗତ ୧୫ ତାରିଖରେ ସାଟେଲାଇଟ ଇମେଜ କହୁଛି ଏହି କୋଠାକୁ ଭାଙ୍ଗି ଦିଆଯାଇଛି । ଏବଂ ଧ୍ବଂସାବଶେଷକୁ ଉତ୍ତର ଦିଗକୁ ନିଆଯାଇଛି । ସେପଟେ ଚୀନ ଦ୍ବାରା ଖାଲି କରାଯାଇଥିବା ସ୍ଥାନରେ ଚୀନ ନିଜର କେତେକ ପୂର୍ବ ବ୍ୟବସ୍ଥା କରିଛି ବୋଲି ଇମେଜରୁ ଜଣାପଡିଛି । ସ୍ଥାନୀୟ କାଉନସିଲରଙ୍କ କହିବା କଥା, ଏଲଏସିରୁ ଭାରତୀୟ ସୈନ୍ୟ ପ୍ରତ୍ୟାହୃତ ହୋଇଥିଲେ ବି ଏନେଇ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ । ପୂର୍ବ ଲଦାଖର ଗୋଗ୍ରା ଓ ହଟସ୍ପ୍ରିଂ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାରୁ ପ୍ରାୟ 3 କିଲୋମିଟର ଦୂରକୁ ଘୁଞ୍ଚିଛନ୍ତି ଚୀନ ସୈନ୍ୟ ।

ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଚୀନ ନିଜର ଯବାନଙ୍କୁ ମୁତୟନ କରିଥିବା ବେଳେ, ଭାରତ ସହ ହୋଇଥିବା ବୁଝାମଣା ଅନୁସାରେ ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ କରିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଲାଗି ବିବାଦୀୟ ଅଞ୍ଚଳ ସମ୍ପୂର୍ଣ୍ଣ ସୈନ୍ୟମୁକ୍ତ ହୋଇଛି ।