ଓଭରେଟକ୍ କରୁଛନ୍ତି କି ଅପରାଜିତା ?
1 min read୧୯୯୪ ଆଇ.ଏ.ଏସ୍. ଅଫିସର ଅପରାଜିତା ଷଡଙ୍ଗୀ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେବା ମାତ୍ରେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇ ବିଜେପି ସଦସ୍ୟ ହେଲେ । ଭାଗ୍ୟ ବି ତାଙ୍କୁ ସାହା ହେଲା । ପ୍ରଥମ ଥର ନିର୍ବାଚନ ଲଢି ହାଇପ୍ରୋଫାଇଲ ଭୁବନେଶ୍ବର ଲୋକସଭାରୁ ଅପରାଜିତା ସାଂସଦ ହୋଇଛନ୍ତି । ତାଙ୍କ ବିଜୟକୁ ଭାରତୀୟ ଜନତା ପାର୍ଟ୍ଟ ସମାରୋହ ପରି ପାଳିଥିଲା । ଦଳୀୟ ନେତା ଓ କର୍ମୀ ଉତ୍ସବ ପରି ପାଳିଥିଲେ ଅପରାଜିତାଙ୍କ ବିଜୟ । ହେଲେ ଏହି ବିଜୟର ୪ ମାସ ପରେ ଅପରାଜିତାଙ୍କୁ ନେଇ ବିଜେପିରେ କେଁ ଉଠିଲାଣି ।
ଭୁବନେଶ୍ବରରୁ ଅପରାଜିତାଙ୍କୁ ଜିତାଇବା ପାଇଁ ସବୁ କର୍ମୀ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିଥିଲେ । ହେଲେ ସେମାନେ ହି ଅପରାଜିତାଙ୍କୁ ବିରୋଧ କରିବା ଆରମ୍ଭ କଲେଣି । ମାଡମ ଅସାମାଜିକ ଲୋକଙ୍କୁ ନେଇ ସଂଗଠନ ଚଲାଉଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ବର ବିଜେପିର କିଛି ନେତା । ଶୁଣିବାକୁ ମିଳିଛି, ଅପରାଧିକ କାର୍ଯ୍ୟକଳାପ ପାଇଁ ଯେଉଁ ଯୁବ ନେତାଙ୍କୁ ଦଳ ଦୂରେଇ ଦେଇଥିଲା, ତାଙ୍କୁ ଅପରାଜିତା ଆଦରି ନେଇଥିବା କଥା ଅନ୍ୟ ନେତାଙ୍କୁ ହଜମ ହେଉନି । ଏହା ବିରୋଧରେ କିଛି ଦିନ ତଳେ ଲିଖିତ ଭାବେ ଭୁବନେଶ୍ବର ବିଜେପି ଅଭିଯୋଗ ମଧ୍ୟ କରିଥିଲା ।
ଖାଲି ଏହି ଗୋଟାଏ ଘଟଣା ନୁହେଁ । ଅନ୍ୟ ଜିଲ୍ଲା ନେତା ବି ଅପରାଜିତାଙ୍କ କାର୍ଯ୍ୟକଳାପକୁ ପସନ୍ଦ କରୁ ନାହାନ୍ତି । କିଛି ଦିନ ତଳେ ବଲାଙ୍ଗୀର ଗସ୍ତରେ ଯାଇଥିଲେ ଅପରାଜିତା । ବଲାଙ୍ଗୀର ସାମ୍ବାଦିକ ସଂଘର ମୁଖ୍ୟ ଅତିଥି ଭାବେ ଅପରାଜିତା ଯୋଗ ଦେଇଥିଲେ । ଅବଶ୍ୟ ଏହା ଦଳୀୟ କାର୍ଯ୍ୟକ୍ରମ ନଥିଲା । ବଲାଙ୍ଗୀର ଲୋକସଭାରେ ବିଜେପିର ସଂଗୀତା ସିଂହଦେଓ ସାଂସଦ ହୋଇଛନ୍ତି । ଅପରାଜିତାଙ୍କ ବଲାଙ୍ଗୀର ଗସ୍ତକୁ ସଂଗୀତାଙ୍କ ସମର୍ଥକ ପସନ୍ଦ କରିନଥିବା ଶୁଣିବାକୁ ମିଳିଛି । କାରଣ ବିଜେପିର ଭୁବନେଶ୍ବର ସାଂସଦ ବଲାଙ୍ଗୀର ଆସିବାର ଖବର ସ୍ଥାନୀୟ ସାଂସଦଙ୍କୁ ଜଣାଇନଥିଲେ । ଯଦି ସଂଗୀତାଙ୍କ ସମର୍ଥକମାନଙ୍କ ଅଭିଯୋଗ ସତ, ଏହା ଦଳୀୟ ଶୃଂଖଳା ବିରୋଧୀ । କାର୍ଯ୍ୟକ୍ରମ ଦଳୀୟ ହେଉ କି ନାହିଁ, ସ୍ଥାନୀୟ ବିଜେପିକୁ ଅବଗତ କରିବା କଥା । ବଲାଙ୍ଗୀର ବିଜେପିରୁ ମିଳିଥିବା ଭିତିରିଆ ଖବର ଅନୁସାରେ, ଅପରାଜିତାଙ୍କ ଏପରି କାର୍ଯ୍ୟକଳାପ ବିରୋଧରେ ଦଳୀୟ ଫୋରମରେ ଫେରାଦ୍ ହୋଇଛନ୍ତି ସ୍ଥାନୀୟ ବିଜେପି ନେତା ।
ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ଏକ ଭିଡିଓ ଭାଇରାଲଏ ହୋଇଥିଲା । ବାରମ୍ବାର ପରାଜୟ ପାଇଁ ଦଳୀୟ କର୍ମୀଙ୍କୁ ମାଡମ ଗାଳି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା । ସେ ସମୟରେ କିଛି କର୍ମୀ ମାଡମଙ୍କ ଏପରି ଅବତାରକୁ ପସନ୍ଦ କରିନଥିଲେ । ଅପରାଜିତା ପରାଜିତ ହୋଇଥିଲେ ଏହାର ଜବାବ ଦେବାକୁ ଯୋଜନା କରିଥିବା ଖବର ରହିଛି । ହେଲେ ଅପରାଜିତା ଜିତି ଏମାନଙ୍କ ମୁହଁ ବନ୍ଦ କରିଦେଲେ । ତେବେ ଅପରାଜିତାଙ୍କ ତାଗିଦ୍ କରିବା ଢାଞ୍ଚା ସଂଘୀୟ ଅଚରଣ ନୁହେଁ ବୋଲି ଗାଳି ଶୁଣିଥିବା କର୍ମୀ ନିଜ ଭିତରେ କଥା ହେଉଛନ୍ତି ।
ସାଂସଦ ହେବା ପରେ ମାଡମଙ୍କ ଆଚରଣ ବଦଳିଥିବା ଅଭିଯୋଗ କରୁଛନ୍ତି ଦଳୀୟ କର୍ମୀ । ଓଡ଼ିଶା ବିଜେପିର ପୋଷ୍ଟର ଗାର୍ଲ ହେବା ନିଶାରେ ମାଡମ କାହାକୁ ଖାତିର କରୁନଥିବା କର୍ମୀମାନେ ଟୁପୁରୁଟାପୁରୁ ହେବା ଆରମ୍ଭ କଲେଣି । କେହି କେହି ତ ଏପରି ବି କହିଲେଣି ଯେ, ଅପରାଜିତା ନିଜକୁ ଓଡ଼ିଶାରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁଛନ୍ତି । ଏ କଥା ଯଦି ସତ ହୁଏ, ତେବେ ହୁଏତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଛନ୍ତି ଅପରାଜିତା! କାରଣ ଧର୍ମେନ୍ଦ୍ର ଓଡ଼ିଶାରୁ ପରାଜିତା ହେବା ପରେ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ଗଲେ । ହେଲେ ଅପରାଜିତା ପ୍ରଥମ ଥର ନିର୍ବାଚନ ଲଢି ଜିତିଛନ୍ତି । ଯେଉଁଠି ବଡ ବଡ ବିଜେପି ନେତା ବାରମ୍ବାର ହାରୁଛନ୍ତି, ସେଠାରେ ଡେବ୍ୟୁ ଇନିଙ୍ଗସରେ ସଫଳତା ଅପରାଜିତାଙ୍କ ରାଜନୈତିକ ଆକାଂକ୍ଷା ବଢାଇ ଥାଇ ପାରେ । ହେଲେ ସାଂସଦ ହେବା ପରେ ବି ମାଡମଙ୍କ ପ୍ରଶାସିକା ଷ୍ଟାଇଲ ଯାଉନଥିବା ଦଳ ଭିତରେ କଥା ଚାଲିଛି । ଅପା ଅପା ଡାକରୁ ଯେଉଁ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଅପରାଜିତା, ତାହା ପୁଣି ଥରେ ମାଡମ ଆଡକୁ ଢଳୁଥିବା ପରି ଅନୁଭବ କଲାଣି ଓଡ଼ିଶା ବିଜେପି । ')}