ଆଉ କଳାକନା ବୁଲେଇ ପାରିବେନି ରିୟଲ ଇଷ୍ଟେଟ୍ ବିଲଡର, ଆଇନରେ ସଂଶୋଧନ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଗ୍ରାହକଙ୍କୁ ଆଶ୍ବସ୍ତି । ଆଉ ଗ୍ରାହକଙ୍କୁ କଳାକନା ବୁଲେଇ ପାରିବେନି ରିୟଲ ଇଷ୍ଟେଟ୍ ବିଲଡର । ଆସିଲା ନୂଆ ରିୟଲ୍ ଇଷ୍ଟେଟ୍ ନିୟମ । ଆଗଭଳି ଆଉ ଗ୍ରାହକଙ୍କୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡ଼ିବନି । ରାଜ୍ୟ ସରକାର ଓଡ଼ିଶା ରିୟଲ୍ ଇଷ୍ଟେଟ୍ ଆଇନରେ କରିଛନ୍ତି ସଂଶୋଧନ । ବୁକିଂ ସମୟରେ ଗ୍ରାହକଙ୍କ ସହିତ ଚୁକ୍ତିନାମା ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଟିକସ୍ ଆଉ ପରିବର୍ତ୍ତନ ହେବ ନାହିଁ । ପ୍ରତ୍ୟେକ ବୁକିଂ ସବରେଜିଷ୍ଟ୍ରାରଙ୍କ ପାଖରେ ପଞ୍ଜିକୃତ ହେବ । ବୁକିଂ ପରେ ଜିଏସଟି କିମ୍ବା ସରକାରୀ ଟିକସ୍ ପରିବର୍ତ୍ତନ ହେଲେ ବୋଝ ଆଉ ଗ୍ରାହକଙ୍କ ଉପରେ ପଡିବନି । ଅତିରିକ୍ତ ବୋଝ ବିଲଡର ବହନ କରିବେ ।
ଆପାର୍ଟମେଣ୍ଟରେ ପ୍ରତ୍ୟେକ ପଞ୍ଜିକୃତ କିଣାବିକାକୁ ଓରେରା ଓ୍ବେବସାଇଟରେ ବିଲଡର ଅପଲୋଡ କରିବାକୁ ବାଧ୍ୟ । ଏହାଦ୍ୱାରା ଗୋଟିଏ ଫ୍ଲାଟକୁ ଏକାଧିକ ଥର କିଣାବିକା ରୋକାଯାଇପାରିବ । କୌଣସି ପରିସ୍ଥିତିରେ ଚୁକ୍ତିନାମା ରଦ୍ଦ କରିବାକୁ ହେଲେ ଗ୍ରାହକକୁ ବିଲଡର ୩୦ ଦିନିଆ ନୋଟିସ ଦେବ । ବିଲଡର ଗ୍ରାହକର ସମସ୍ତ ପ୍ରାପ୍ୟ ୪୫ ଦିନ ଭିତରେ ଦେବାକୁ ବାଧ୍ୟ । ଅକୁପାନ୍ସି ସାର୍ଟିଫିକେଟ୍ ପ୍ରଦାନ ସହ ବାସ୍ତବ ଫ୍ଲାଟ୍ ପଜେସନ୍ ଗ୍ରାହକକୁ ନ ମିଳିବା ପର୍ଯ୍ୟନ୍ତ ବିଲଡର ସମସ୍ତ ପ୍ରକାର ସରକାରୀ ଟିକସ ବହନ କରିବ । ଅକୁପାନ୍ସି ପ୍ରମାଣପତ୍ର ମିଳିବା ଦେବାର ୩ ମାସ ଭିତରେ ଆପାର୍ଟମେଣ୍ଟ୍ ଆସୋସିଏସନକୁ ସର୍ବସାଧାଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସ୍ଥାନ ବିଲଡର ପ୍ରଦାନ କରିବେ । ଫଳରେ ପାର୍କିଂ, ଜିମ୍ ଓ ମଣ୍ଡପର ମାଲିକାନା ଆଉ ବିଲଡର ପାଖରେ ରହିବ ନାହିଁ ।