ଶ୍ରେଷ୍ଠ ସମ୍ମାନ ନେଇ ଫେରିବେ ମୁଖ୍ୟମନ୍ତ୍ରୀ, ସଜେଇ ହୋଇଛି ବିମାନବନ୍ଦରରୁ ନବୀନ ନିବାସ

1 min read

ଭୁବନେଶ୍ବର: ନବୀନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ। ଶ୍ରେଷ୍ଠ ସମ୍ମାନ ନେଇ ଫେରିବେ ମୁଖ୍ୟମନ୍ତ୍ରୀ। ଶୁଭେଚ୍ଛା ଜଣାଇବାକୁ ଓଡ଼ିଶା ପ୍ରସ୍ତୁତ।  ସ୍ବାଗତ ପାଇଁ ସଜେଇ ହୋଇଛି ବିମାନବନ୍ଦରରୁ ନବୀନ ନିବାସ। ଅପେକ୍ଷା କାଲି ଦିନ ୧୧ଟାକୁ। ଉଲ୍ଲେଖନୀୟ ନେତୃତ୍ବ ପାଇଁ ଜୀବନବ୍ୟାପୀ ସାଧନା ପୁରସ୍କାର ନେଇ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାଗତ କରିବାକୁ ସ୍ବତନ୍ତ୍ର ଆୟୋଜନ କରିଛି ବିଜେଡି।

ରାଜ୍ୟ ବିକାଶର ସାରଥୀ ସାଜିଛନ୍ତି ନବୀନ। ଓଡ଼ିଶାର ସେବା ପାଇଁ ୨୫ବର୍ଷ ଦେଇଥିବା ମହାନାୟକଙ୍କ ସ୍ବାଗତ ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ନବୀନ ନିବାସ ଯାଏଁ ସାଜସଜ୍ଜା କରାଯାଇଛି। ପୁରୁଣା ବିମାନବନ୍ଦର ବାହାରେ ଦଳୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଶିବିର କରାଯାଇଛି। ସେଠାରେ ନେତାଙ୍କ ଠାରୁ ଶୁଭେଚ୍ଛା ଗ୍ରହଣ କରିବେ ନବୀନ। ବିମାନବନ୍ଦରରୁ ନବୀନନିବାସ ଯାଏ ଭିନ୍ନ ଭିନ୍ନ ମଞ୍ଚ କରାଯାଇଛି।

ସେଠାରେ ଗୋଟିପୁଅ ନାଚ, ଯୋଡ଼ିଶଙ୍ଖ, ଢେମ୍ସା, ସମ୍ବଲପୁରୀ, ଘୁମୁରା ନୃତ୍ୟ ପରିବେଷଣ କରାଯିବ। କେନ୍ଦୁଝର ଓ ମୟୂରଭଞ୍ଜରୁ ପାରମ୍ପରିକ ନାଚଗୀତ ପ୍ରଦର୍ଶିତ କରିବେ କଳାକାର। ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ୫୦ହଜାରରୁ ଅଧିକ ବିଜେଡି ନେତା ଓ କର୍ମୀ ଆସିବା କାର୍ଯ୍ୟକ୍ରମ ରହିଛି।

 

ହଜାର ହଜାର ଲୋକଙ୍କ ସମାଗମ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଟ୍ବିନ ସିଟି ପୋଲିସ ପକ୍ଷରୁ ସଭାସ୍ଥଳୀ ସମେତ ବିମାନବନ୍ଦର ପାଖ ଅଞ୍ଚଳର ସୁରକ୍ଷା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଯାତ୍ରୀଙ୍କୁ ୩ଘଣ୍ଟା ପୂର୍ବରୁ ବିମାନବନ୍ଦର ଆସିବା ପାଇଁ ଜଣାଇବାକୁ ଏୟାରଲାଇନସଙ୍କୁ କୁହାଯାଇଛି।

ଖୋର୍ଦ୍ଧା ଆଡୁ ଆସୁଥିବା କର୍ମୀଙ୍କ ପାଇଁ ପଲ୍ଲାସପଲ୍ଲୀ ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ପୁରୀ ଆଡ଼ୁ ଆସୁଥିବା ଲୋକ ଶିଶୁଭବନରୁ କ୍ୟାପିଟାଲ ହସ୍ପିଟାଲ ଭିତରେ ଚିହ୍ନଟ ପାର୍କି ସ୍ପଟରେ ଗାଡ଼ି ରଖିବେ। ବାକି ଲୋକଙ୍କ ପାଇଁ ୟୁନିଟ-୬ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି। ସୁରକ୍ଷା ଦୃଷ୍ଟିରୁ ୮ଏଡିସିପି, ୧୬ଏସିପିଙ୍କ ସହ ୩୦ପ୍ଲାଟୁନ ଫୋର୍ସ ମୁତୟନ ହେବେ।