ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପଦ ରଦ୍ଦ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ସୂଚନା । ଅଫିସ ଅଫ୍ ପ୍ରଫିଟ୍ ବିବାଦରେ ଫସିଥିବା ସୋରେନଙ୍କୁ ନେଇ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଇସିଙ୍କ ନିଷ୍ପତ୍ତି ନେଇ ବିଧିବଦ୍ଧ ଘୋଷଣା କରିବେ ରାଜ୍ୟପାଳ ।

ଆଜି ସକାଳେ ରାଞ୍ଚି ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୟୁପିଏର ବୈଠକ ଡାକିଥିଲେ ।  ସେପଟେ ମେଣ୍ଟ ସରକାର ପ୍ରତି କୌଣସି ବିପଦ ନଥିବା କହିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଇସିଙ୍କ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଯିବାକୁ ଧମକ ଦେଇଛି ଜେଏମଏମ । ୮୨ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମର ୩୦ ବିଧାୟକ ଥିବାବେଳେ କଂଗ୍ରେସର ୧୭ ବିଧାୟକ ଅଛନ୍ତି । ବିଜେପିର ଅଛନ୍ତି ୨୫ ବିଧାୟକ । ମୁଖ୍ୟମନ୍ତ୍ରୀ ହେମନ୍ତ ନିଜ ନାମରେ ମାଇନିଂ ଲିଜ୍ ହାସଲ କରିଥିବା ନେଇ ଅଭିଯୋଗ ମାମଲାର ଶୁଣାଣି ଗତ ସୋମବାର ନିର୍ବାଚନ କମିଶନ ଶେଷ କରିଥିଲେ । ମଙ୍ଗଳବାର ଦିନ ରାଜ୍ୟପାଳ ରମେଶ ବ୍ୟାସଙ୍କ ନିକଟକୁ ଇସି ଏ ସମ୍ପର୍କରେ ପତ୍ର ଲେଖିଥିଲେ । ଗତ ଅଗଷ୍ଟ ୧୮ ତାରିଖରେ ଉଭୟ ବିଜେପି ଓ ଜେଏମଏମ ନିର୍ବାଚନ କମିଶନ ନିକଟରେ ପକ୍ଷ ରଖିଥିଲେ । ପୂର୍ବରୁ ରାଜ୍ୟରେ ଜେଏମଏମ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲେ ଜେଏମଏମ ଓ କଂଗ୍ରେସ ।