ବିହାର କ୍ୟାବିନେଟ ବିସ୍ତାର: ଶପଥ ନେଲେ ୩୧ ମନ୍ତ୍ରୀ, ଆରଜେଡିରୁ ସର୍ବାଧିକ ୧୬

ପାଟନା: ବିହାରରେ ମହାମେଣ୍ଟ ସରକାର ଗଠନ ପରେ ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ୭ ଦଳର ୧୬୪ ବିଧାୟକଙ୍କ ସମର୍ଥନରେ ନୀତିଶ କୁମାର ସରକାର ଗଠନ କରିଥିଲେ । ପୂର୍ବରୁ ତାଙ୍କ ଦଳ ଜେଡିୟୁ ବିଜେପି ସହ ମେଣ୍ଟ କରି ସରକାରରେ ରହିଥିଲେ । ନୀତିଶ କୁମାର ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ଦୁଇ ଦଳ ମଧ୍ୟରେ ମତଭେଦ କାରଣରୁ ନୀତିଶ ମେଣ୍ଟରୁ ଅଲଗା ହୋଇ ଆରଜେଡି, କଂଗ୍ରେସ ଓ ବାମଦଳ ସହ ଆଞ୍ଚଳକି ଦଳମାନଙ୍କ ସହ ମିଶି ନୂଆ ସରକାର ଗଠନ କରିଛନ୍ତି ।

ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ଆଜି ନୀତିଶ କ୍ୟାବିନେଟର ବିସ୍ତାର ହୋଇଛି । ଦଳୀୟ ଆଧାରରେ ବିଭାଗ ମଧ୍ୟ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୃହ ବିଭାଗ ନିଜ ପାଖରେ ରଖିଛନ୍ତି ଓ ସାଧାରଣ ପ୍ରଶାସନ ସମେତ ୫ ବିଭାଗ ନିଜ ପାଖରେ ରଖିଛନ୍ତି । ସେହିପରି ତେଜସ୍ୱୀଙ୍କୁ ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ନଗର ବିକାଶ ଏବଂ ଗ୍ରାମୀଣ କାର୍ଯ୍ୟର ଦାୟିତ୍ୱ ମିଳିଛି । ଲାଲୁ ଯାଦବଙ୍କ ବଡ଼ ପୁଅ ତଥା ତେଜସ୍ୱୀଙ୍କ ବଡ଼ ଭାଇ ତେଜପ୍ରତାପଙ୍କୁ ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିଛି ।

ଆଜି ରାଜଭବନରେ ରାଜ୍ୟପାଳ ଫଗୁ ଚୌହ୍ୱାନ ୩୧ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ମନ୍ତ୍ରୀ ହୋଇଥିବା ମୋଟ ୩୧ ବିଧାୟକଙ୍କ ମଧ୍ୟରେ ଆରଜେଡିରୁ ସବୁଠୁ ଅଧିକ ୧୬, ଜେଡିୟୁରୁ ୧୧, କଂଗ୍ରେସରୁ ୨, ହମ ରୁ ଜଣେ ଏବଂ ଅନ୍ୟଜଣେ ନିର୍ଦ୍ଦଳୀୟ ସାମିଲ ଅଛନ୍ତି । ମହାମେଣ୍ଟର ନୂଆ ସରକାରରେ ସାମାଜିକ ସମୀକରଣକୁ ଦୃଷ୍ଟିରେ ରଖି ମନ୍ତ୍ରୀ ବନାଯାଇଛି । ଓବିସିରୁ ସବୁଠୁ ଅଧିକ ୧୭, ଦଳିତରୁ  ଏବଂ ୫ ମୁସଲିମ ସାମିଲ ରହିଛନ୍ତି ।

ମନ୍ତ୍ରୀମଣ୍ଡଳରେ ସବୁ ଜାତିକୁ ପ୍ରତିନିଧିତ୍ୱ ଦିଆଯାଇଛି । ଅବଶ୍ୟ ସବୁଠୁ ଅଧିକ ଫୋକସ୍ ଇବିସି ଏବଂ ଓବିସି ଉପରେ ଦିଆଯାଇଛି । ଜାତି କଥା ଦେଖିବାକୁ ଗଲେ ଯାଦବ ଜାତିର ସବୁଠୁ ଅଧିକ ୮ ବିଧାୟକ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ଆରଜେଡି ପକ୍ଷରୁ ୭ ଏବଂ ଜେଡିୟୁ ପକ୍ଷରୁ ଜଣେ ଯାଦବ ବିଧାୟକ ମନ୍ତ୍ରୀ ହୋଇଛନ୍ତି । ଗତ ମନ୍ତ୍ରୀମଣ୍ଡଳରେ ଏହି ଜାତିରୁ କେବଳ ୨ ଜଣ ମନ୍ତ୍ରୀ ଥିଲେ । ଗତ ୧୦ ତାରିଖରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲା ନୀତିଶ କୁମାର ।