ରାଜ୍ୟ କଂଗ୍ରେସକୁ ବଡ଼ ଝଟକା; ଦଳ ଛାଡ଼ିଲେ ୩୦ରୁ ଅଧିକ ନେତା

1 min read

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ରାଜ୍ୟର ୩୦ରୁ ଅଧିକ ନେତା । ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର , ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପ୍ରମୁଖ କଂଗ୍ରେସ ଛାଡ଼ଛନ୍ତି ।

ଏମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କଂଗ୍ରେସ ଦଳ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି । ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସଂଗଠନ ସହିତ ସକ୍ରିୟ ଭାବେ ଜଡିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ପିସିସିର ପୂର୍ବତନ ମୁଖପାତ୍ର ଅଶୋକ ସାମଲ କହିଛନ୍ତି । ତେଣୁ ଦଳରେ ରହିବା ସମ୍ଭବ ହେଉନାହିଁ ।

https://www.facebook.com/NandighoshaTV/videos/4024196774473050

ସେହିପରି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ପ୍ରସଙ୍ଗ ଉଠାଇଛନ୍ତି ଦଳ ଛାଡିଥିବା ନେତା। ମୋକିମଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ଅଗଣତାନ୍ତ୍ରିକ । ସାରା ରାଜ୍ୟର କଂଗ୍ରେସ କର୍ମୀ ଏହାର ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୋ ପାଖରେ କାହା ଇସ୍ତଫାପତ୍ର ପହଞ୍ଚିନି । କିନ୍ତୁ ମୁଁ ସେ ସମସ୍ତଙ୍କୁ କହିବି କଂଗ୍ରେସ ଛାଡ଼ନ୍ତୁନି । ଆମେ ଏକାଠି କାମ କରିବା । ଯଦି କାହାର ବ୍ୟକ୍ତିଗତ କାରଣ ଥିବ, ସେଇଟା ଅଲଗା କଥା। ସେହିପରି ପସିସି ସହ-ପ୍ରଭାରୀ ଏ. ରୁଦ୍ର ରାଜୁ କହିଛନ୍ତି, ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଛି । ସେ ଦଳ ଛାଡ଼ିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ପସିସି ସହ-ପ୍ରଭାରୀ ଏ. ରୁଦ୍ର ରାଜୁ କହିଛନ୍ତି ।