ଶ୍ରାବଣରେ ସିଝୁଛି ଓଡିଶା, ୯ ସହରରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ
ଭୁବନେଶ୍ବର: ମୌସୁମୀ ଦୁର୍ବଳ ପରେ ତାତୁଛି ଓଡିଶା। ଅସହ୍ୟ ଗୁଳୁଗୁଳି ସହ ୩୬ ଡିଗ୍ରୀ ତାପମାତ୍ରାରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ତ୍ରାହି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦୁର୍ବଳ ମୌସୁମୀ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଗତ ୨୪ ଘଣ୍ଟାରେ ୯ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି ।
ମାଲକାନଗିରିରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ସର୍ବାଧିକ ୩୫.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡ଼ିଗ୍ରୀ ରହିବାର ସମ୍ଭାବନା ଥିବା ବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ୬୦ ପ୍ରତିଶତରୁ ଅଧିକ ରହୁଥିବାରୁ ବିଭିନ୍ନ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ।
ସେପଟେ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବଜ୍ରପାତ ଜନିତ ବର୍ଷା ପାଇଁ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୦୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଏହି ସମୟ ମଧ୍ୟରେ ୫୩୯.୨ ମିଲିମିଟର ବର୍ଷା ହେବା କଥା । ଯାହା ସ୍ବାଭାବିକ ଠାରୁ ୬ ପ୍ରତିଶତ କମ୍ ବର୍ଷା । ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ଏବଂ ୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।