ସ୍ମୃତିଙ୍କୁ ସୋନିଆ କହିଲେ Don’t talk to me

1 min read

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉଗ୍ର ରୂପ । ନା କେହି ଦେଖିଥିଲେ, ନା କେହି ଭାବି ଥିଲେ । ସବୁବେଳେ ଶାନ୍ତ ଓ ଧିର କଥା କହୁଥିବା ସ୍ମୃତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉପରେ ଏମିତି ଆକ୍ରାମଣାତ୍ମକ ହୋଇ ଗଲେ ଯେ ପୂରା ଲୋକସଭା ହୋଇଗଲା ସ୍ତବ୍ଧ । ମାତ୍ର ୨ରୁ ୩ ମିନିଟ ସମୟ । ମୁହାଁମୁହିଁ ଅବସ୍ଥାରେ ସ୍ମୃତି ଓ ସୋନିଆ । ସ୍ଥିତି ଏମିତି ହେଲା, ଅନ୍ୟ ସାଂସଦଙ୍କୁ ଆସି ଉଭୟଙ୍କୁ ଶାନ୍ତ କରିବାକୁ ପଡ଼ିଲା । ସ୍ମୃତି ଏମିତି ରାଗି ପଞ୍ଚମ ହେବା ପଛରେ ରହିଛି କଂଗ୍ରେସର ସେଇ ଚିରାଚରିତ ନାରୀଙ୍କୁ ଅସମ୍ମାନ ପ୍ରଥା । ଏଥର ଆଉ କାହାକୁ ନୁହେଁ, ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିବାକୁ ପଛାଇ ନାହିଁ କଂଗ୍ରେସ । ଆଉ ବିବାଦୀୟ ମନ୍ତବ୍ୟ ଦେବାରେ ଡିଗ୍ରୀ ହାସଲ କରିଥିବା ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କରିଛନ୍ତି ଏହି ମହାପାପ । ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ସେ ଯେଉଁ ଅପମାନ କରିଛନ୍ତି ତାକୁ ନା କେବଳ ପୂରା ଦେଶ ନିନ୍ଦା କରୁଛି, ସଂସଦ ବି ଉଠୁଛି ପଡୁଛି ।

ଆଜି ସଂସଦରେ ଯାହା ଘଟିଲା, ସେମିତି ସ୍ଥିତିର ସମ୍ମୁଖୀନ ହୁଏତ ସୋନିଆ କେବେ ହୋଇ ନଥିବେ । ସ୍ମୃତି ଏମିତି ବର୍ଷିଲେ ଯେ ସୋନିଆ ହତବାକ ହୋଇ ଯାଇଥିଲେ । ସ୍ମୃତିଙ୍କ ଆକ୍ରମଣରେ ଅସହ୍ୟ ହୋଇ ପଡ଼ିଥିବା ସୋନିଆଙ୍କ ମୁହଁରୁ ବାହାରି ଯାଇଥିଲା ଏମିତି କଥା, ଯାହା ପୂରା ଲୋକସଭାକୁ ହୁଲୁସ୍ତୁଲ କରି ଦେଇଥିଲା ।

ସ୍ଥାନ ଲୋକସଭା । ସମୟ ପ୍ରାୟ ୧୨ଟା । ଗୃହ ମୁଲତବୀ ହେବା ପରେ ରାଷ୍ଟ୍ରପତିଙ୍କୁ ଅପମାନ କରାଯିବା ପ୍ରତିବାଦରେ ବିଜେପି ସାଂସଦମାନେ ସୋନିଆ ଗାନ୍ଧିଙ୍କ ଇସ୍ତଫା ଦାବିରେ ନାରାବାଜି କରୁଥିଲେ । ଏହି ସମୟରେ ସୋନିଆ ଗୃହରୁ ବାହାରକୁ ଯାଉଥିଲେ । ହେଲେ ହଠାତ ସେ ଫେରି ରମା ଦେବୀଙ୍କ ପାଖରେ ପହଞ୍ଚି । କହିଥିଲେ- ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗି ସାରିଛନ୍ତି, ଏଥିରେ ମୋ ନାଁ କାହିଁକି ନିଆଯାଉଛି । ଏହି ସମୟରେ ସ୍ମୃତି ଇରାନୀ ସେଠାରେ ପହଞ୍ଚି ଥିଲେ । ସ୍ମୃତି ସୋନିଆଙ୍କୁ ପଚାରି ଥିଲେ Ma’m, May I help You. ଏହାସହ ସେ କହିଥିଲେ, ମୁଁ ଆପଣଙ୍କ ନାଁ ନେଇଥିଲି । ଯାହାକୁ ନେଇ ସୋନିଆ ତାଙ୍କୁ ଚଢ଼ା ଗଳାରେ କହିଥିଲେ Don’t talk to me. । ଏହାପରେ ଯାହା ହେଲା ତାକୁ ପୂରା ଦେଶ ଦେଖିଲା । ସୋନିଆଙ୍କ ଉପରେ ପୂରା ଝପଟି ପଡ଼ିଥିଲେ ସ୍ମୃତି । ୨ରୁ ୩ ମିନିଟ ଉଭୟଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ଏହି ସମୟରେ ଉଭୟ ଦଳର ସାଂସଦମାନେ ଏକାଠି ହୋଇ ନାରାବାଜି ଆରମ୍ଭ କରି ଦେଇଥିଲେ । ସ୍ଥିତି ଅସମ୍ଭାଳ ଆଡ଼କୁ ଯାଉଥିବା ଦେଖି ଗୌରବ ଗୋଗୋଇ ଏବଂ ସୁପ୍ରିୟା ସୁଲେ ଉଭୟଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

ସ୍ମୃତିଙ୍କ ଆକ୍ରମଣରେ କଂଗ୍ରେସ ଘାଇଲା

ପୂର୍ବରୁ ସ୍ମୃତିଙ୍କୁ ସମସ୍ତେ ଭଦ୍ରତାର ସହ କଥା ହେବାରେ ଦେଖିଛନ୍ତି । ହେଲେ ଆଜି ସଂସଦରେ ସେ ବହୁତ ରାଗିବା ଭଳି ଲାଗୁଥିଲେ । ରାଗିବା ବି ସ୍ବାଭାବିକ । ରାଷ୍ଟ୍ରପତିଙ୍କୁ ଅପମାନ ତାହା ପୁଣି ଜଣେ ମହିଳା ରାଷ୍ଟ୍ରପତିଙ୍କୁ ଯେ କେହି ବି ରାଗିବେ ।

ଅଧିର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ଲୋକସଭାରେ ସ୍ମୃତି, କଂଗ୍ରେସକୁ ଘେରିବା ସହ ସିଧାସିଧା ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ୍ କରିଥିଲେ ଓ ଦେଶକୁ କ୍ଷମା ମାଗିବାକୁ କହିଥିଲେ । ସେ କହିଥିଲେ, ‘ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁ କଂଗ୍ରେସ ପାଇଁ ଘୃଣାର କେନ୍ଦ୍ର ପାଲଟି ଗଲେ । କଂଗ୍ରେସ ନେତା ତାଙ୍କୁ କାଠ ପୁତୁଳା କହିଲେ । କଂଗ୍ରେସ ପାଇଁ ଅନ୍ୟମାନଙ୍କ ବିରୋଧରେ ଅପପ୍ରଚାର କରୁଥିବା ନେତାମାନେ ତାଙ୍କୁ ଅମଙ୍ଗଳର ପ୍ରତୀକ କହିଥିଲେ । ଗତକାଲି କଂଗ୍ରେସର ଜଣେ ନେତା ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ତାଙ୍କୁ ଅପମାନିତ କଲେ ।’

ସେ ଆଗକୁ ସୋନିଆଙ୍କୁ ଟାର୍ଗେଟ କରି କହିଥିଲେ, ‘ଆଜି ଗୃହରେ କଂଗ୍ରେସର ମୁଖିଆ ଉପସ୍ଥିତ ଅଛନ୍ତି । ମୁଁ ତାଙ୍କୁ କହିବାକୁ ଚାହେଁ, ଆପଣ ଦ୍ରୌପଦୀ ମୁର୍ମୁଜୀଙ୍କୁ ଅପମାନିତ କରିବାକୁ ଅନୁମତି ଦେଲେ । ଆପଣ ଜଣେ ଗରିବ ମହିଳାଙ୍କୁ ଅପମାନିତ ହେବାକୁ ଦେଲେ । କଂଗ୍ରେସକୁ ଏଥିପାଇଁ ଦେଶବାସୀଙ୍କ ପାଖରେ କ୍ଷମା ମାଗିବା ଦରକାର । ସୋନିଆ ଗାନ୍ଧି ଲଜ୍ୟା ଅନୁଭବ କରିବା ସହ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।’