ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ଏସୀୟ କ୍ରୀଡା ପାଇଁ IOA ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଭାଗିତା
ଭୁବନେଶ୍ୱର: ଭାରତୀୟ ଆଥଲେଟମାନଙ୍କର ପ୍ରଦର୍ଶନ ଉଚ୍ଚସ୍ତରରେ ପହଂଚାଇବା, ଜାତୀୟ କ୍ରୀଡା ମହାସଂଘଗୁଡିକୁ ସମର୍ଥନ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ରାଷ୍ଟ୍ରର ମାନ୍ୟତା ପ୍ରଦାନ କରି ଭବିଷ୍ୟତରେ ଭାରତରେ ଅଲିମ୍ପିକ କ୍ରୀଡା ଆୟୋଜନ ଲକ୍ଷ୍ୟରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ୍) ଏବଂ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏକ ଦୀର୍ଘସୂତ୍ରୀ ସହଭାଗିତା ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି । ଏହି ସହଭାଗିତା ଅଧୀନରେ ଆରଆଇଏଲ୍ ଏବଂ ଆଇଓଏ ମଧ୍ୟ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଇଣ୍ଡିଆ ହାଉସ ସ୍ଥାପନ କରିବେ ।
ଆଇଓଏର ପ୍ରମୁଖ ସହଭାଗୀ ଭାବରେ ଆରଆଇଏଲ୍ ଭାରତୀୟ ଆଥଲେଟଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡା, ଏସୀୟ କ୍ରୀଡା ଏବଂ ଅଲିମ୍ପିକ କ୍ରୀଡା ସମେତ ସମସ୍ତ ବିବିଧ ଶୃଙ୍ଖଳ ଥିବା କ୍ରୀଡା କାର୍ଯ୍ୟକ୍ରମରେ ସମର୍ଥନ କରିବେ । ଏଥିସହିତ ଅଲିମ୍ପିକ ହସପିଟାଲିଟି ହାଉସ୍ ଏକ କ୍ରୀଡା ପରମ୍ପରା ହୋଇଥବାବେଳେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଥମ ଅଲିମ୍ପିକ ହାଉସ୍ ଏକ ଐତିହାସିକ ମାଇଲଖୁଂଟ ହେବ । ନିଜ ଘରଠାରୁ ଦୂରରେ ଏହି ଘର ସ୍ଥାପନ ଏବଂ ବିଶ୍ୱ କ୍ରୀଡାକ୍ଷେତ୍ରରେ ଏକ ଶୀର୍ଷସ୍ତରର କାର୍ଯ୍ୟକ୍ରମରେ ସାରା ବିଶ୍ୱ ନିକଟରେ ଭାରତକୁ ପ୍ରଦର୍ଶିତ କରିବା, ଅଲିମ୍ପିକ ଆନ୍ଦୋଳନ ନିମନ୍ତେ ଆରଆଇଏଲର ପ୍ରତିବଦ୍ଧତା କ୍ଷେତ୍ରରେ ଆଉ ଏକ ଉଦାହରଣ ହେବାକୁ ଯାଉଛି ।
ଶ୍ରୀମତୀ ନିତା ଏମ୍ ଅମ୍ବାନି, ଆଇଓସି ସଦସ୍ୟ ଏବଂ ନିର୍ଦ୍ଦେଶିକା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଛନ୍ତି, “ବିଶ୍ୱ କ୍ରୀଡା ଜଗତରେ ଭାରତ କେନ୍ଦ୍ରସ୍ଥାନ ନେଉ ଏହା ଦେଖିବା ଆମ ପାଇଁ ସ୍ୱପ୍ନ ହୋଇ ରହିଛି । ସମଗ୍ର ଦେଶରେ ଯୁବ କ୍ରୀଡାବିତଙ୍କୁ ବିଶ୍ୱ ମାନର ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ଦ୍ୱାରା ସମର୍ଥନ କରି ଏବଂ ସେମାନଙ୍କୁ ସଶକ୍ତ କରିବାକୁ ଆଇଓଏ ସହିତ ଆମର ସହଭାଗିତା ରିଲାଏନ୍ସ ଫାଉଣ୍ଡେସନର ଗଭୀର ପ୍ରତିବଦ୍ଧତାର ପରିଚାୟକ । ଆମେ ମଧ୍ୟ ୨୦୨୪ରେ ପ୍ୟାରିସ ଅଲମ୍ପିକ କ୍ରୀଡାରେ ପ୍ରଥମ ଇଣ୍ଡିଆ ହାଉସ୍ ସ୍ଥାପନ ନେଇ ଅତ୍ୟନ୍ତ ଉଲ୍ଲସିତ ରହିଛୁ । ଏହା ସମଗ୍ର ବିଶ୍ୱକୁ ଭାରତର ବିପୁଳ ପ୍ରତିଭା, ସାମର୍ଥ୍ୟ ଏବଂ ସେମାନଙ୍କର ଆଶା ଆକାଂକ୍ଷା ପ୍ରଦର୍ଶିତ କରିବାକୁ ଏକ ବିରାଟ ସୁଯୋଗ ଯୋଗାଇଦେବ ।”
ଆଇଓଏ ମହାସଚିବ ଶ୍ରୀ ରାଜୀବ ମେହଟା କହିଛନ୍ତି, “ଭାରତୀୟ ଅଲିମ୍ପିକ ଆସୋସିଏସନ୍ ସହିତ ଏହି ସହଭାଗିତା ଏବଂ ଭାରତୀୟ କ୍ରୀଡାଗୁଡିକୁ ବିଗତ ବହୁବର୍ଷ ଧରି ସେମାନଙ୍କର ସମର୍ଥନ ତଥା ଅଲିମ୍ପିକ ଆନ୍ଦୋଳନରେ ଯୋଗଦେବାକୁ ପରବର୍ତୀ ପିଢିର ପିଲାଙ୍କୁ ପ୍ରେରଣା ଦେବା ନେଇ ମୁଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଶ୍ରୀମତୀ ନିତା ଅମ୍ବାନିଙ୍କୁ ଧନ୍ୟବାଦ ଜଣାଉଛି । ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇଣ୍ଡିଆ ହାଉସ ସ୍ଥାପନ ଏକ ସ୍ମରୀଣୀୟ ମୁହର୍ତ ହେବ । ଅଲିମ୍ପିକ ଆନ୍ଦୋଳନ ଦିଗରେ ଭାରତର ପ୍ରତିବଦ୍ଧତା ଦିଗରେ ଏହା ଏକ ବିଶାଳ ପ୍ରୟାସ ହେବ ।”
୨୦୨୨ ମେ ମାସରେ ଭାରତର ପ୍ରଥମ ‘ଅଲିମ୍ପିକ ଭାଲ୍ୟୁଜ ଏଜୁକେସନ ପ୍ରୋଗ୍ରାମ’ (ଓଭିଇପି) ଓଡ଼ିଶାରେ ଆରମ୍ଭ କରାଯାଇଥିଲା, ଯେଉଁଥିରେ ଅଲିମ୍ପିକ୍ସର ମୂଳ ମୂଲ୍ୟବୋଧକୁ ସଂସ୍ଥାପିତ କରିବା ପାଇଁ ଶିକ୍ଷା ଓ କ୍ରୀଡାର ଦ୍ୱୈତ ଶକ୍ତିକୁ ସମ୍ମିଳିତ କରାଯାଇଛି । ଯୁବବର୍ଗଙ୍କୁ ଅଲିମ୍ପିକର ଉତ୍କର୍ଷ, ସମ୍ମାନ ଏବଂ ବନ୍ଧୁତ୍ୱ ମୂଲ୍ୟବୋଧ ସମ୍ପର୍କରେ ପରିଚିତ କରାଇବାକୁ ଓଭିଇପି ଅଇଓସି ଦ୍ୱାରା ଡିଜାଇନ କରାଯାଇଥିବା ଏକ ବାସ୍ତବବାଦୀ ଉତ୍ସସମୂହ ହୋଇଛି । ପିଲାମାନଙ୍କୁ ସକ୍ରିୟ, ସୁସ୍ଥ ଏବଂ ଦାୟିତ୍ୱସମ୍ପନ୍ନ ନାଗରିକ ଭାବରେ ଗଢିତୋଳିବା ଦିଗରେ ସେମାନଙ୍କୁ ସହାୟତା କରିବାକୁ ମୂଲ୍ୟବୋଧ ଭିତିକ ପାଠ୍ୟକ୍ରମ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।