ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ ଜିତିଲେ ଏକନାଥ ସିନ୍ଦେ, ସପକ୍ଷରେ ପଡ଼ିଲା ୧୬୪ ଭୋଟ୍

1 min read

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ବିଧାନସଭାରେ ଆଜି ହୋଇଥିବା ଫ୍ଲୋର ଟେଷ୍ଟରେ ଏକନାଥ ସିନ୍ଦେ ସରକାର ସପକ୍ଷରେ ୧୬୪ ଭୋଟ୍ ପଡ଼ିଥିଲା, ଯାହା କି ମ୍ୟାଜିକ ନମ୍ବରଠାରୁ ଆଉ ୨୦ ଭୋଟ୍ ଅଧିକ । ବିନା କୌଣସି ବାଧାରେ ବହୁମତ ସାବ୍ୟସ୍ତ କରିଛନ୍ତି ଏକନାଥ ସିନ୍ଦେ । ମହାବିକାଶ ଅଘାଡିକୁ ୯୯ ଭୋଟ୍ ମିଳିଛି । ଆଜିର ଫ୍ଲୋର ଟେଷ୍ଟରେ MVAର ଅଂଶୀଦାର ଥିବା ବହୁଜନ ବିକାଶ ଅଘାଡି ମଧ୍ୟ ସିନ୍ଦେ-ଫଡନଭିସ୍ ସପକ୍ଷରେ ଭୋଟ୍ ଦେଇଛି ।

୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନର ସ୍ଥିତି ହେଉଛି ୨୮୭ । ମ୍ୟାଜିକ ନମ୍ବର ପାଇଁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଆବଶ୍ୟକ ହେଉଥିଲା ୧୪୪ ଭୋଟ୍ । ଶିବସେନାର ସିନ୍ଦେ ଗୋଷ୍ଠୀର ୪୦ ବିଧାୟକଙ୍କ ସମେତ ବିଜେପିର ୧୦୬ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ୧୮ ସ୍ୱାଧୀନ ଓ ନିର୍ଦ୍ଦଳୀୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ଠିକ୍ ସମୟରେ ପହଞ୍ଚି ନପାରିବାରୁ କଂଗ୍ରେସର ୫ ବିଧାୟକ ଭୋଟିଂରେ ଭାଗ ନେଇ ପାରି ନ ଥିଲେ ।

ଗତକାଲି ବାଚସ୍ପତି ନିର୍ବାଚନରେ ମଧ୍ୟ ସିନ୍ଦେ ଗୋଷ୍ଠୀ ଓ ବିଜେପିର ମିଳିତ ପ୍ରାର୍ଥୀ ରାହୁଲ ନାର୍ଭେକର ବାଜିମାତ କରିଥିଲେ । ୧୬୪ଟି ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ ରାହୁଲ । ସେ ମହାବିକାଶ ଅଘାଡିର ରାଜନ ସାଲଭୀଙ୍କୁ ହରାଇଥିଲେ । ସାଲଭୀଙ୍କୁ ମାତ୍ର ୧୦୭ ଭୋଟ୍ ମିଳିଥିଲା ।  ବାଚସ୍ପତି ନିର୍ବାଚନର ଫଳାଫଳ ଆଜି ଆସ୍ଥା ଭୋଟରେ ପ୍ରତିଫଳିତ ହେବ ବୋଲି ସମ୍ଭାବନା ଥିଲା, ଆଉ ଠିକ୍ ତାହା ହିଁ ହୋଇଛି । ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ରାହୁଲ ନାର୍ଭେକର ଏକନାଥ ସିନ୍ଦେଙ୍କୁ ହିଁ ଶିବସେନାର ବିଧାୟକ ଦଳ ନେତା ଭାବେ ସ୍ୱୀକୃତି ଦେଇଥିଲେ । ଏଥିସହ  ସିନ୍ଦେଙ୍କୁ ହିଁ ଦଳର ନେତା ଭାବେ ସ୍ୱୀକୃତି ଦେଇଥିଲେ ବାଚସ୍ପତି ।