ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଦୁଇ ବର୍ଷ ପରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । କରୋନା ମହାମାରୀ ପରେ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ ଭଗବାନଙ୍କ ମିଳନ ।ଲକ୍ଷାଧିକ ଭକ୍ତଙ୍କ ରସମାଗମରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତ କରାଯାଇଛି ।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢ଼େ ୩ଟାରେ ମଇଲମ ନୀତି ଶେଷ ହୋଇଛି । ଏହା ସହ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ । ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଛି । ଗୋଟି ପହଣ୍ଡିରେ ଆସି ଶ୍ରୀ ସୁଦର୍ଶନ ରଥାରୂଢ଼ ହୋଇଛନ୍ତି । ପହଣ୍ଡି ବିଜେ ପରେ ଅପରାହ୍ନ ୨ଟା୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ଶେଷ ହେବ ଏବଂ ୪ଟାରେ ଆରମ୍ଭ ହେବ ରଥାଟଣା ।