ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ବିଶ୍ୱ ଶୁଣିବ ଓଡ଼ିଶା ଖାଦ୍ୟ ସୁରକ୍ଷାର ସଫଳ କାହାଣୀ

ରୋମ୍: ରୋମ୍ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଖାଦ୍ୟ ନିରାପତ୍ତା ପାଇଁ ଆଗରୁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି କିଭଳି ଖାଦ୍ୟ ସୁରକ୍ଷାରେ ବଳକା ରାଜ୍ୟ ହୋଇପାରିଛି ସେନେଇ ଉଦବୋଧନ ଦେବେ ନବୀନ । ୧୯୯୯ ମହାବାତ୍ୟାରେ ବିଧ୍ୱସ୍ତ ଓଡ଼ିଶା ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନାରେ କିଭଳି ମଡେଲ ରାଜ୍ୟ ହୋଇପାରିଛି ସେନେଇ ମଧ୍ୟ ବକ୍ତବ୍ୟ ରଖିବେ ।

ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାଭିଡ୍ ବେସଲେ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଓଡ଼ିଶାକୁ ଖାଦ୍ୟ ସୁରକ୍ଷାରେ ନିରନ୍ତର ଭାବେ ସଶକ୍ତ କରିବାକୁ ବିଭିନ୍ନ ପ୍ରକଳ୍ପ ଏବଂ ଡବ୍ଲୁଏଫପିର ସହଭାଗିତା ଉପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ୟୁରୋପର ବିଭିନ୍ନ ଅଞ୍ଚଳରେ ଥିବା ପ୍ରବାସୀ ଓଡ଼ିଆ ନିବେଶକଙ୍କ ସହ ମଧ୍ୟ ଆଲୋଚନା କରିବେ । ଓଡ଼ିଶାର ରୂପାନ୍ତର କାର୍ଯ୍ୟକ୍ରମରେ ସେମାନଙ୍କ ସହଭାଗିତା ଏବଂ ଓଡ଼ିଶାର କଳା ଏବଂ ସଂସ୍କୃତିର ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହେବ ।

ଗତକାଲି ଭାଟିକାନ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟି ଓଡ଼ିଶା ଓ ଓଡ଼ିଶାବାସୀଙ୍କ ତରଫରୁ ଏକ ପଟ୍ଟଚିତ୍ର ପେଣ୍ଟିଂ ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ଐତିହ୍ୟ ଗ୍ରାମ ରଘୁରାଜପୁରରର ଅପିନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ପ୍ରସ୍ତୁତ ଏହି ପଟ୍ଟଚିତ୍ର ବି ବିଶ୍ୱ ଦରବାରରେ ପହଞ୍ଚାଇଛି ଉତ୍କଳୀୟ ମହାନ କଳାକୀର୍ତ୍ତିର ସ୍ମାରକୀ ।