କାହିଁକି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କଲା ଏନଡିଏ ?

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଏବଂ କ୍ଷମତାସୀନ ଏନଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ଆଉ ଏବେ ସମସ୍ତଙ୍କ ନଜର ରହିଛି କିଏ ଜିତିବ ରାଷ୍ଟ୍ରପତି ନିର୍ବାଚନ  । ଗୋଟିଏ ପଟେ ବିରୋଧୀଙ୍କ ପକ୍ଷରୁ ଟିଏମସି ନେତା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଜଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଥିବା ବେଳେ  । ଏନଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ପୂର୍ବତନ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି  । ପ୍ରାର୍ଥୀ ଘୋଷଣା ପୂର୍ବରୁ ଅନେକ ନାଁକୁ ନେଇ ଚର୍ଚ୍ଚା ଧରିଥିଲା  । ହେଲେ ହଠାତ୍ ମୁର୍ମୁଙ୍କ ନାଁ ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଦେଇଥିଲା।

ମୁର୍ମୁଙ୍କ ବ୍ୟକ୍ତିଗତ ବା ରାଜନୈତିକ ଯାତ୍ରା କଥା ଯଦି ଦେଖିବା ତେବେ ୨୦ ଜୁନ୍ ୧୯୫୮ ମସିହାରେ ଓଡିଶା ରାଜ୍ୟର ମୟୁରଭଞ୍ଜର ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମୁର୍ମୁ  । ୧୯୯୭ ମସିହାରେ ସାମାନ୍ୟ ଏକ ୱାର୍ଡ ସଭ୍ୟା ହୋଇ ସେ ରାଜନୀତିରେ ପାଦ ଥାପିଥିଲେ  । ପରେ ରାଇରଙ୍ଗ ପୌରାଧ୍ୟକ୍ଷ ପଦ ସମ୍ଭାଳିଥିଲେ  । ଏହାପରେ ସେ ଭାରତୀୟ ଜନତା ପାର୍ଟି ବିଜେପିର ଦଳୀୟ ପ୍ରାର୍ଥୀ ଭାବେ ରାଇରଙ୍ଗପୁରରୁ ୨୦୦୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ  । ପରେ ୨୦୦୪ରେ ଦ୍ବିତୀୟ ଥର ପାଇଁ ବିଧାୟିକା ହୋଇଥିଲେ  । ବିଧାୟିକା ଥିବା ସମୟରେ ତାଙ୍କୁ ମନ୍ତ୍ରୀ ଦାୟିତ୍ବ ମଧ୍ୟ ମିଳିଥିଲା  । ୨୦୦୦ ମସିହାରୁ ୨୦୦୨ ପର୍ଯ୍ୟନ୍ତ ଓଡିଶା ମେଣ୍ଟ ସରକାରରେ ସ୍ବାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଦାୟିତ୍ବରେ ଥିଲେ  । ସେହିପରି ୨୦୦୨ରୁ ୨୦୦୪ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ  । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ  । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି  । ଜଣେ ଦକ୍ଷ ରାଜନୀତି ଭାବେ ସେ ଖ୍ୟାତି ଅର୍ଜନ କରିବା ସହ ୨୦୦୫ ରୁ ୨୦୨୧ ଯାଏଁ ଝାଡଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି  ।

ପ୍ରଶ୍ନ ହେଉଛି କାହିଁକି ବିଜେପି ତାଙ୍କୁ ପ୍ରାର୍ଥୀ କଲା  । ଯେତବେଳେ ବିରୋଧୀ ଗତକାଲି ପ୍ରଥମେ ଚର୍ଚ୍ଚିତ ଚେହେରା ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲା  । ସାଧାରଣରେ ଚର୍ଚ୍ଚା ହୋଇଥିଲା ସିହ୍ନାଙ୍କୁ କଡା ଟକ୍କର ଦେବା ପାଇଁ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । କିନ୍ତୁ ମୁର୍ମୁଙ୍କ ନାଁ ଘୋଷଣା କରି ବିରୋଧୀଙ୍କ ଋଣନୀତିକୁ ସମ୍ପୂର୍ଣ୍ଣ ଫେଲ୍ କରିଦେଇଥିଲା ବିଜେପି  । ଗତ ନିର୍ବାଚନରେ ଦଳିତ କାର୍ଡ ଖେଳି ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରି ମହାମହିମ ପଦ ହାତେଇଥିଲା ବିଜେପି  । ଚଳିତ ଥର ମଧ୍ୟ ଆଦିବାସୀ କାର୍ଡ ଖେଳି ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେପି  ।  ପ୍ରାର୍ଥୀ କରିବା ପଛରେ ବିଜେପିର ଋଣନୀତି ହେଉଛି ଅଣ ଏନଡିଏ ଶାସିତ ରାଜ୍ୟ ଗୁଡିକର ସମର୍ଥନ ପାଇବା ଏବଂ ଆଦିବାସୀ ବହୁଳ ରାଜ୍ୟର ଅନୁକମ୍ପା ସାଉଣ୍ଟିବା  । ଓଡିଶା, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟ ହେଉଛି ଅଣ ବିଜେପି ଶାସିତ ଆଦିବାସୀ ବହୁଳ ରାଜ୍ୟ  । ମୁର୍ମୁ ନିଜ ଜୀବନ କାଳରେ ସବୁବେଳେ ଆଦିବାସୀ ଓ ଗରିବଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛନ୍ତି  । ମଧ୍ୟପ୍ରଦେଶ ହେଉ ବା ଝାଡଖଣ୍ଡ ବା ନିଜ ରାଜ୍ଯ ଓଡିଶା କଥା ସବୁଠି ସେ ଏକ ଚର୍ଚ୍ଚିତ ଚେହେରା ଥିଲେ  । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯଦି ଏନଡିଏ ପକ୍ଷରୁ ମୁର୍ମୁଙ୍କ ପରିବର୍ତ୍ତେ ଅନ୍ୟ କେହି ପ୍ରାର୍ଥୀ ହୋଇଥାନ୍ତେ ତେବେ ଓଡିଶା ଏବଂ ଝାଡଖଣ୍ଡ ଭଳି ରାଜ୍ୟ ନିର୍ଦ୍ବନ୍ଦରେ ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେଇଥାନ୍ତେ  । କିନ୍ତୁ ମୁର୍ମୁଙ୍କୁ ବିଜେପି ଛିଡା କରିବା ପରେ ଏବଂ ଏଇ ରାଜ୍ୟଗୁଡିକ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ଚର୍ଚ୍ଚା ଜୋର ଧରିଛି  । ଓଡିଶାରେ କ୍ଷମତାଶୀନ ବିଜେଡି ମୁର୍ମୁଙ୍କୁ ସମର୍ଥନ ଦେବ ବୋଲି ସିଧାସଳଖ ଘୋଷଣା କରିଛି  ।

ଆସନ୍ତା ୨୪ ତାରିଖରେ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ  । ଆଗାମୀ ମାସ ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ଆଉ ୨୧ରେ ଫଳାଫଳ ବାହାରିବ  । ସମସ୍ତଙ୍କ ନଜର ଏବେ ସେହି ଦିନକୁ ରହିଛି  । ଦୁଇ ପ୍ରାର୍ଥୀ କେହି କାହାକୁ ଉଣା ଅଧିକେ କମ୍ ନୁହନ୍ତି  । ଦୁଇଜଣଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ  ।