ଶିବସେନାର ଅଭିଯୋଗ: ସୁରଟ ହୋଟେଲରେ ବିଧାୟକଙ୍କୁ ମାରପିଟ୍ କରିଛି ପୋଲିସ
ସୁରଟ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ବିଧାୟକଙ୍କର ବିଦ୍ରୋହ ପରେ ସରକାର ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଏକ ବଡ ଅଭିଯୋଗ ଆଣିଛି ଶିବସେନା । ଶିବସେନା କହିଛି ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ସାମିଲ ଅକୋଲାରୁ ବିଧାୟକ ନିତିନ ଦେଶମୁଖଙ୍କୁ ସୁରଟ ହୋଟେଲରେ ପୋଲିସ ମାରପିଟ କରିଛି । ସେ ମୁମ୍ବାଇ ଆସିବାକୁ ଚାହହୁଁଥିଲେ, କିନ୍ତୁ ତାଙ୍କୁ ବନ୍ଧକ କରି ଆସମର ଗୌହ୍ବାଟୀ ନିଆଯାଇଛି ।
ସୁରଟର ସ୍ଥାନୀୟ ଶିବସେନା ନେତା ପରେଶ ଖେର ଗଣମାଧ୍ୟମକୁ କହିଛନ୍ତି ନିତିନ ଦେଶମୁଖ ହୋଟେଲରୁ ବାହାରି ଏକ ମାର୍କେଟକୁ ଯାଇଥିଲେ, ସେଠାରେ ସେ ଫୋନ ଯୋଗେ ଆମକୁ ସହାୟତା ମାଗିଥିଲେ ମୁମ୍ବାଇ ଯିବା ପାଇଁ । ଆମେ ମାର୍କେଟରେ ପହଞ୍ଚିବା ବେଳକୁ ପୋଲିସ ତାଙ୍କୁ ଧରି ହୋଟେଲ ନେଇଯାଉଥିଲା । ଆମେ ମଧ୍ୟ ସେମାନଙ୍କ ପଛେ ପଛେ ହୋଟେଲ ପର୍ଯ୍ୟନ୍ତ ଯାଇଥିଲୁ । କିନ୍ତୁ ହୋଟେଲ ବାହାରେ ଆମକୁ ଅଟକାଇ ଦିଆଯାଇଥିଲା । ତେବେ ନିତିନ ମୁମ୍ବାଇ ଯିବେ ବୋଲି ଜିଦ୍ ଧରିବା ପରେ ପୋଲିସ ଅଧିକାରୀ ତାଙ୍କୁ ମାରପିଟ୍ କରିଥିଲେ । ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପୋଲିସ ଏବଂ ବିଧାୟକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା । ଏହାପରେ ଅସୁସ୍ଥ ହୋଇ ନିତିନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଅନ୍ୟପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ନିତିନ ଦେଶମୁଖଙ୍କୁ ସୁରଟ ହୋଟେଲରେ ହାର୍ଟ ଆଟାକ ଆସିଥିଲା, କିନ୍ତୁ ବିଜେପି ନେତା ତାଙ୍କୁ ବନ୍ଧକ ରଖିଛନ୍ତି । ସେମାନେ ୯ ବିଧାୟକଙ୍କୁ ଅପହରଣ କରି ରଖିଛନ୍ତି । ସେମାନେ ମୁମ୍ବାଇ ଆସିବାକୁ ଚାହୁଁଥିବାରୁ ଅପହରଣ କରାଯାଇଥିବା ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଧାୟକ ନିତିନ ଦେଶମୁଖଙ୍କ ପତ୍ନୀ ପ୍ରାଞ୍ଜଳି ଅକୋଲା ଥାନାରେ ବିଧାୟକଙ୍କ ନିଖୋଜ ରିପୋର୍ଟ ଦେଇଛନ୍ତି । ସେ ଅଭିଯୋଗରେ କହିଛନ୍ତି ତାଙ୍କ ସ୍ବାମୀ ମଙ୍ଗଳବାର ସକାଳ ସୁଦ୍ଧା ଅକୋଲା ସ୍ଥିତ ନିଜ ଘରକୁ ଆସିବାର ଥିଲା, କିନ୍ତୁ ସୋମବାର ସନ୍ଧ୍ୟାରୁ ହିଁ ତାଙ୍କ ଫୋନ ଲାଗୁନି । ତେଣୁ ମୋ ସ୍ବାମୀ ନିଖୋଜ ହୋଇଯାଇଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ।