ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ନନ୍ଦିଘୋଷ ବ୍ୟୁରୋ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ଲାଗିଛି  । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା କରିଛନ୍ତି । ଏନଡିଏ ସଂସଦୀୟ ବୈଠକରେ ଦ୍ରୌପଦୀଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ମୋହର ଲାଗିଛି  । ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତି ଥିଲେ  । ସର୍ବସମ୍ମତିକ୍ରମେ ମୁର୍ମୁଙ୍କ ନାଁରେ ମୋହର ଲାଗିଛି  ।

ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ମୁର୍ମୁଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା  । ହେଲେ ଆଜି ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ  ।  ଓଡିଶାର ଆଦିବାସୀ ନେତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ  । ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ତାଙ୍କ ଘର  । ୧୯୯୭ ମସିହାରେ ରାଜନୀତିକୁ ସେ ଆସିଥିଲେ  । ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଦୁଇଥର ରାଇରଙ୍ଗପୁରର ବିଧାୟିକା ଥିଲେ ଦ୍ରୌପଦୀ । ଓଡିଶା ସରକାରରେ ମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି ମୁର୍ମୁ  । ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ  । ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ଓଡିଶାରୁ ପ୍ରଥମ ରାଷ୍ଟ୍ରପତି ହେବେ  । ପ୍ରତିଭା ଦେବୀସିଂ ପାଟିଲଙ୍କ ପରେ ସେ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବେ  ।

ଅପରାହ୍ନରେ ବିରୋଧୀଙ୍କ ପକ୍ଷରୁ ଜଶୱନ୍ତ ସିହ୍ନାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା  । ସିହ୍ନା ଓ ମୁର୍ମୁଙ୍କ ମଧ୍ୟରେ ରାଷ୍ଟ୍ରପତି ପଦ ପାଇଁ ଲଢେଇ ହେବ  । ସୂଚନାଯୋଗ୍ୟ ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ  ଏବଂ ୨୧ ତାରିଖରେ ଭୋଟ ଗଣତି ଓ ଫଳାଫଳ ବାହାରିବ  । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବିଜୁ ଜନତା ଦଳ ମଧ୍ୟ ଦ୍ରୌପଦୀଙ୍କ ନାଁକୁ ନେଇ ସମ୍ମତି ପ୍ରକାଶ କରିଥିଲା  ।