ପାଣି ଭର୍ତ୍ତି ନାଳରେ ସ୍କୁଟି ସହ ଗଳି ପଡିଲେ ଦମ୍ପତି, ଅଳ୍ପକେ ବର୍ତ୍ତିଲା ଜୀବନ
ଉତ୍ତରପ୍ରଦେଶ: ଅସରାଏ ବର୍ଷା ଯୋଗୁଁ କାଳ ସାଜୁଛି ରାସ୍ତା ପାଖ ନାଳ । ବର୍ଷା ଦିନରେ ରୋଡ ଉପରେ ପାଣି ଜମିବା ନୂଆ ଜିନିଷ ନୁହେଁ, କିନ୍ତୁ ଜମିଥିବା ବର୍ଷା ପାଣିକୁ କିପରି ନିଷ୍କାସନ କରାଯିବ ତାହା ନଗର ନିଗମ ଅଧିକାରୀଙ୍କ ଦାୟିତ୍ବ । ନିକଟରେ ନିଗମ ଅଧିକାରୀଙ୍କ ଅବହେଳା କାରଣରୁ ଅଳ୍ପକେ ବର୍ତ୍ତିଛି ଦୁଇଟି ଜୀବନ । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାରେ । ପାର୍କିଂ କରିବାକୁ ଯିବା ବେଳ ଦୁହେଁ ପତିପତ୍ନୀ ପାଣି ଭର୍ତ୍ତି ନାଳରେ ସ୍କୁଟି ସହ ଗଳି ପଡିଥିଲେ । ସଙ୍ଗେ ସଙ୍ଗେ ନିକଟରେ ଥିବା ଲୋକ ମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ଉଭୟଙ୍କୁ ଗଭୀର ଆଘାତ ଲାଗିଥିଲା । ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭି କଏଦ ହୋଇଥିଲା ।
କୁହାଯାଉଛି ଯେ ଏକ ସ୍କୁଟିରେ ପୋଲିସ କର୍ମଚାରୀ ଦୟାନନ୍ଦ ସିଂହ ଓ ତାଙ୍କ ପତ୍ନୀ ଚେକପ୍ କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଉଥିଲେ ,ହେଲେ ଜୋର ବର୍ଷା ଯୋଗୁଁ ରାସ୍ତା ଉପରେ ପ୍ରବଳ ମାତ୍ରାରେ ପାଣି ଜମି ଯାଇଥିଲା ଏବଂ ଗାଡ଼ି ପାର୍କିଂ ସମୟରେ ପାଣି ଭର୍ତ୍ତି ନାଳରେ ଗଳିପଡିଥିଲେ । ପାଖରେ ଥିବା ଲୋକ ମାନେ ସେମାନଙ୍କୁ ଉଦ୍ଧାର କରି ଦମ୍ପତିଙ୍କ ଜୀବନ ବଞ୍ଚାଇଥିଲେ । ହେଲେ ତାଙ୍କ ସ୍କୁଟି ସମ୍ପୂର୍ଣ୍ଣ ବୁଡି ଯାଇଥିଲା ।
ପ୍ରତକ୍ଷଦର୍ଶୀଙ୍କ କହିବାନୁଯାୟୀ ସବୁବେଳେ ବର୍ଷା ହେବା ମାତ୍ରେ ରାସ୍ତାରେ ପାଣି ଜମି ଯାଇଥାଏ । ଯାହା ଫଳରେ କେଉଁଠି ରାସ୍ତା ଓ କେଉଁଠି ଗାତ ଅଛି ତାହା ଜଣାପଡେ ନାହିଁ ଏବଂ ଏହି କାରଣରୁ ବହୁତ ଦୁର୍ଘଟଣା ଘଟିଥାଏ । ଅନେକ ଥର ସ୍ଥାନୀୟ ନଗର ନିଗମ ଅଧିକାରୀଙ୍କ ପାଖରେ ଏହି ସମସ୍ୟା ବିଷୟରେ ଅଭିଯୋଗ କଲେ ମଧ୍ୟ ସେ ଏହା ଉପରେ ଧ୍ୟାନ ଦେଉ ନାହାନ୍ତି ।