ବିଚ୍ ବଜାରରେ ଉଲଗ୍ନ ନାଚ, ଶୋଇଛି ପ୍ରଶାସନ

ଗଜପତି: ସମାଜରେ ଲଜ୍ଜ୍ୟାର ସମସ୍ତ ସୀମା ପାର। ଆଇନ କାନୁନକୁ ଖାତିରି ନାହିଁ, ସହର ମଝିରେ, ଶହ ଶହ ଜନ ଗହଳିରେ ହେଉଛି ଉଲଗ୍ନ ନାଚ । ତା ସାଙ୍ଗକୁ ରାତି ତମାମ ଜମୁଛି ମଦର ଆସର । ଆଉ ବେଫିକର ହୋଇ ନାଚୁଛନ୍ତି ଯୁବତୀ । କେତେବେଳେ ଅଧା କପଡ଼ାରେ ତ ଆଉ କେତେ ବେଳେ ବିନା କପଡ଼ାରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ହାଡୁଭାଙ୍ଗି ପଞ୍ଚାୟତ ସଦର ମହକୁମାରେ ।

କିଛି ଦିନ ଧରି ସ୍ଥାନ ପରିବର୍ତ୍ତନ କରି କରି ବିଳମ୍ବିତ ରାତିରେ ଆୟୋଜିତ ହେଉଛି ଏଭଳି ନୃତ୍ୟର ଆସର । ଯାହା ବିଦେଶର  କେସୀନୋଠାରୁ ବି  ଅଧିକ । ଏହା ସହ ଖୋଲା ପଡ଼ିଆରେ ହେଉଛି ଜୁଆ ଖେଳ । ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଅଞ୍ଚଳରେ ଏହି ଆୟୋଜନରେ ଭାଗ ନେବା ପାଇଁ ମାଇକ ସାହାଯ୍ୟରେ ବାରମ୍ବାର ଘୋଷଣା ହେଉଛି । ନୃତ୍ୟ ଚାଲିବା ସମୟରେ ଘୋଷଣା ହେଉଛି ଯେ ଗରମାଗରମ ମସଲା ଡ୍ୟାନ୍ସର ମଜା ନିଅନ୍ତୁ । କିନ୍ତୁ କେହି ଭିଡିଓ ଉଠାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଯଦି ରେକର୍ଡ କରିବା ବେଳେ ଧରା ପଡିବେ ତେବେ ଫୁଲ ରାଉଣ୍ଡ ଗୁଳି ଫୁଟିବ ।

ତେବେ ଚିନ୍ତାର ବିଷୟ ଯେ, ଯେତେବେଳେ ଗଜପତି ଜିଲ୍ଲାର ଧର୍ମୀୟ ଭାବନା ସହ ସଂସ୍କୃତି ଓ ପରମ୍ପରା ସାରା ରାଜ୍ୟରେ ଉଚ୍ଚ ସ୍ଥାନରେ ରହିଛି ପୁଣି ଏହି ମାଟିରେ ଜନ୍ମ ନେଇଥିବା ମହାପୁରୁଷଙ୍କ ନିତି ଓ ଆଦର୍ଶ ସମାଜରେ ପ୍ରେରଣାର ଉତ୍ସ ହୋଇଛି। ଏପରି ସ୍ଥଳେ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଚକିତ କରିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଯାଉଛି। ଏଭଳି କାର୍ଯ୍ୟକ୍ରମ କିଏ ଆୟୋଜନ କରୁଛି ? ଏଥିରେ କେଉଁମାନେ ସମ୍ପୃକ୍ତ ? କାହାର ପ୍ରୋତ୍ସାହନରେ ଏଭଳି ଘୃଣ୍ୟ କାର୍ଯ୍ୟକ୍ରମ ଚାଲୁଛି ? ପୋଲିସ ପାଖରେ ଖବର ନାହିଁ କି ? ଏଥିରେ ପୋଲିସର ଏତେ ନିଷ୍କ୍ରିୟତା କାହିଁକି ? ଏତେ ବଡ଼ କାର୍ଯ୍ୟକ୍ରମ ପଛରେ ନିଶ୍ଚିତ ଭାବରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ରହିଛି। ଏନେଇ ସ୍ବତନ୍ତ୍ର ତଦନ୍ତ ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।