ନିର୍ଭୀକତା ଓ ସୁର ବାବୁ

ମନୁଷ୍ୟ ନିଜସ୍ୱ ବୁଦ୍ଧି, କର୍ମ, ସାହସ, ଜ୍ଞାନ, ଅଧ୍ୟବସାୟ, ଦୂରଦୃଷ୍ଟି ଓ ସୁସମ୍ପର୍କ ବଳରେ ସୁନାମ ଅର୍ଜନ କରିବା ସହିତ ସମାଜକୁ ଗୌରବାନ୍ୱିତ କରନ୍ତି । ସେହିପରି ଜଣେ ମଣିଷ ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ-କାକଟପୁର ଅଞ୍ଚଳର ଯୋଗଜନ୍ମା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ । ସେ ପ୍ରିୟ ମହାନୁଭବ କାକଟପୁର ଅଞ୍ଚଳର ଜଣେ ଜଣାଶୁଣା ନିର୍ଭୀକ ଓ ସାହସୀ ବ୍ୟକ୍ତିତ୍ୱ । ସେ ସ୍ୱଭାବତଃ ସ୍ପଷ୍ଟବାଦୀ । ସତ୍ୟ କହିବାକୁ ସେ କୌଣସି ପରିସ୍ଥିତିରେ କୁଣ୍ଠାବୋଧ କରନ୍ତି ନାହିଁ । ୧୯୮୪ ମସିହାର ଘଟଣା । ଓଡ଼ିଶାର ବରପୁତ୍ର ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କର ସହଯୋଗୀ ତଥା ରାଜନୈତିକ ନେତୃବୃନ୍ଦ ତାଙ୍କ ସମ୍ମୁଖରେ ଯୁକ୍ତି କରିବା ପାଇଁ ସାହସ କରନ୍ତି ନାହିଁ । ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜୁ ବାବୁଙ୍କ ସହିତ ବଳିଷ୍ଠ ଯୁକ୍ତି କରନ୍ତି । ଏକଦା କୌଣସି ଏକ ଘଟଣାକୁ ନେଇ ବିଜୁ ବାବୁଙ୍କ ସହିତ ବୈଠକରେ ଯୁକ୍ତି କରିଥିଲେ ସୁର ବାବୁ । ବିଜୁ ବାବୁ ଅତ୍ୟନ୍ତ ବିରକ୍ତ ହୋଇ କହିଥିଲେ -ତୁମେ ଅଧିକ ବକ୍‌ବକ୍ କରନି । ତୁମକୁ ଦଳରୁ ବହିଷ୍କାର କରାଯିବ । ଏକଥା ସୁର ବାବୁଙ୍କୁ ବହୁତ ବାଧିଥିଲା । ସେ ତୁରନ୍ତ ବୈଠକ ଛାଡ଼ି ଚାଲିଯାଇଥିଲେ । ବିଜୁ ବାବୁ ତାଙ୍କୁ ପର ମୁହୂର୍ତ୍ତରେ ଖୋଜି ପାଖରେ ପାଇ ନ ଥିଲେ ।

ଅପରାହ୍ଣରେ ସୁର ବାବୁଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଦାସ ଏ ଖବର ପାଇ ତାଙ୍କୁ ନେଇ ନବୀନ ନିବାସ ଯାଇଥିଲେ । ସେଠାରେ ସେ ଶୁଣିବାକୁ ପାଇଲେ ଯେ ବିଜୁ ବାବୁ ସେଦିନ ମଧ୍ୟାହ୍ନ ଭୋଜନ ଖାଇନାହାନ୍ତି । ଏହା ଶୁଣିବା ମାତ୍ରେ ସୁର ବାବୁ ତୁରନ୍ତ ବିଜୁ ବାବୁଙ୍କୁ ଦେଖା କରିବାକୁ ଗଲେ । ବିଜୁ ବାବୁ କହିଲେ “ମୁଁ ତୁମକୁ କ’ଣ ପଦେ କହିଦେଲି ବୋଲି ତୁମେ ବୈଠକ ଛାଡ଼ି ଚାଲିଗଲ” । ସୁର ବାବୁ ଉତ୍ତରରେ କହିଲେ “ଆପଣ ବହିଷ୍କାର କଥା କହିବାରୁ ମୋତେ ଅପମାନ ବୋଧ ହେଲା । ତେଣୁ କ୍ଷମା କରନ୍ତୁ ।” ତାପରେ ବିଜୁ ବାବୁ କହିଥିଲେ ହଉ ଯାହା ହେଲା ଛାଡ଼ । ଆସ ଆମେ ଏକାଠି ଖାଇବା । ଏଥିରୁ ଜାଣି ହୁଏ ସୁର ବାବୁଙ୍କ ନିର୍ଭୀକତା ଓ ବିଜୁ ବାବୁଙ୍କ ସହ ସୁସମ୍ପର୍କ ଓ ଆନ୍ତରିକ ସ୍ନେହଶ୍ରଦ୍ଧା । ଆଜି ସେହି ମହାନୁଭବଙ୍କ ୮୬ତମ ଜନ୍ମଦିବସରେ ଆମ୍ଭେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

  • ବାସୁଦେବ ବେହେରା, କୁସୁମ୍ବର, ଅସ୍ତରଙ୍ଗ, ପୁରୀ