ଶିକାରୀ ଗୁଳିରେ ଟଳି ପଡ଼ିଲେ ୩ ପୋଲିସ କର୍ମଚାରୀ

ଗୁନା: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ ଶିକାରୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଶିକାରୀମାନେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆରୋନ ଜଙ୍ଗଲରେ ୪ ଜଣ କୃଷ୍ଣସାର ମୃଗ ଓ ମୟୂର ଶିକାର କରିବା ପରେ ଶିକାରୀମାନେ ଫେରୁଥିଲେ । ତେବେ ଏହି ସମୟରେ ସେମାନଙ୍କ ସାମ୍ନା ପୋଲିସ ସହ ହୋଇଥିଲା । ତେବେ ଶିକାରୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯାହା ଫଳରେ ଏସଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାଗର୍ବ, କନଷ୍ଟେବଳ ସନ୍ତରାମଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ଗୁନାରେ ଥିବା କିଛି ଜଙ୍ଗଲରେ କୃଷ୍ଣସାର ମୃଗ ଦେଖାଯାଆନ୍ତି । ଯାହା ଉପରେ ଶିକାରୀଙ୍କ ଲୋଳୁପ ଦୃଷ୍ଟି ରହିଥାଏ । ଶୁକ୍ରବାର ରାତିରେ କିଛି ଶିକାରୀ ଜଙ୍ଗରେ ଶିକାର କରିବାକୁ ଆସିଥିଲେ । ଏପରିକି ସେମାନଙ୍କ ହାତରେ ଏକ ମୃତ କୃଷ୍ଣସାର ମଧ୍ୟ ଥିଲା । ଖବର ପାଇ ପୋଲିସ ଚଢଉ କରିଥିଲା । ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ଶିକାର ପୋଲିସ ଟିମ୍ ଉପରେ ଗୁଳିମାଡ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିମାଡ ହୋଇଥିଲା । ଯାହାଫଳରେ ୩ ଜଣ ପୋଲିସ ସହିଦ ହୋଇଛନ୍ତି ।

ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।