ଏଲନ ମସ୍କଙ୍କ ଭୟ,ହୋଇପାରେ ହତ୍ୟା !

1 min read

ୱାସିଂଟନ: ଟ୍ୱିଟର କିଣିବା ପର ଠାରୁ ଆହୁରି ଅଧିକ ଚର୍ଚ୍ଚାରେ ଏଲନ୍ ମସ୍କ । ଟେଲସା ସିଇଓ ଏଲନ୍ ମସ୍କ ଗୋଟିଏ ଦିନରେ ଏକାଧିକ ଟ୍ୱିଟ୍ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ତେବେ ଏଲନ୍ ମସ୍କଙ୍କ ଏଭଳି ସିରିୟସ୍ ଟ୍ୱିଟ୍ ସମସ୍ତଙ୍କୁ ଚକିତ କରିଛି । ଯେଉଁ ଟ୍ୱିଟରେ ମସ୍କ, ତାଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ କଥା କହିଛନ୍ତି । ଯାହାକି ମସ୍କଙ୍କ ମାଆଙ୍କୁ ପସନ୍ଦ ଆସିନାହିଁ । ତାଙ୍କ ମାଆ ଲେଖିଛନ୍ତି, ଏଭଳି ମଜା କରିବା ଠିକ୍ ନୁହେଁ । ଯାହାର ରିପ୍ଲାଏ ଦେଇ ମସ୍କ କହିଛନ୍ତି, ସରି- ମୁଁ ବଞ୍ଚି ରହିବାକୁ ସମସ୍ତ ଚେଷ୍ଟା କରିବି ।

ତେବେ ମସ୍କ ଏଭଳି ଟ୍ୱିଟ୍ କରିବା ପଛର କାରଣ କଣ ? କାହାକୁ ଇଙ୍ଗିତ କରି ମସ୍କ ରହସ୍ୟମୟ ମୃତ୍ୟୁ କଥା ଲେଖିଛନ୍ତି ? ସତରେ କଣ କେହି ମସ୍କଙ୍କୁ ମାରିବାକୁ ଚକ୍ରାନ୍ତ କରୁଛି ? କାରଣ ମସ୍କ ଟ୍ୱିଟ୍ କରି ଲେଖିଛନ୍ତି, ଯଦି ମୁଁ ରହସ୍ୟମୟ ପରିସ୍ଥିତିରେ ମରିଯାଏ, ଏହା ଜାଣି ଖୁସି ଲାଗିଲା । ଏହା ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ରୋଗୋଜିନ ମସ୍କଙ୍କୁ ଧମକ ଦେଇଥିବା ନେଇ ତଥ୍ୟ ସେୟାର କରିଥିଲେ । ଯେଉଁଥିରେ ୟୁକ୍ରେନ୍ ସୈନିକଙ୍କୁ ଯୋଗାଯୋଗ ଯନ୍ତ୍ରପାତି ଦେଇଥିବାରୁ ମସ୍କଙ୍କୁ ଧମକ ଦେଇଥିଲେ ରୋସ୍କୋସ୍ମୋସର ନିର୍ଦ୍ଦେଶକ ଓଲେଗୋବିଚ୍ ରୋଗୋଜିନ ।

ରୋସ୍କୋସ୍ମୋସର ନିର୍ଦ୍ଦେଶକ ରୋଗୋଜିନ ଋଷ ମିଡିଆକୁ କହିଥିଲେ, ୟୁକ୍ରେନ୍ ନୌସେନାର ୩୬ ଜଣ ସୈନିକ, କର୍ଣ୍ଣେଲ ଦିମିତ୍ରୀ କୋମ୍ର୍ୟାନକୋବ ଧରାପଡ଼ିଛନ୍ତି । ଚିଫ୍ ଅଫ୍ ଷ୍ଟାଫଙ୍କ ବୟାନରୁ ଜଣାପଡ଼ିଛି ମସ୍କଙ୍କ ସାଟେଲାଇଟ୍ କନଷ୍ଟେଲେସନ୍ ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ଇଣ୍ଟରନେଟ୍ ପ୍ରଦାନ କରୁଛି । ଯେଉଁଥିରେ ସେ ମସ୍କଙ୍କୁ ଉତ୍ତର ମାଗିବାକୁ କହୁଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନରେ ଋଷ ଆକ୍ରମଣ କରିବା ପରେ ଇଣ୍ଟରନେଟ୍ ସେବାକୁ ଧ୍ୱଂସ କରି ଦେଇଥିଲା । ଯାହାପରେ ସେଠାରେ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ସେନାକୁ ଯୋଗାଇଥିଲା ଇଣ୍ଟରନେଟ୍ । ଯେଉଁଥିପାଇଁ ଟେଲସା ସିଇଓଙ୍କୁ ଋଷ ଧମକ ଦେଉଥିବା କୁହାଯାଉଛି । ଏବେ ମସ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଟ୍ୱିଟ୍ କରିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିବାରେ ଲାଗିଛି ।