ରାଜଧାନୀରେ ପୁଣି ମାତିଲେ ମୋବାଇଲ ଲୁଟେରା

ଭୁବନେଶ୍ୱର:  ରାଜଧାନୀରେ ପୁଣି ମାତିଲେ ମୋବାଇଲ ଲୁଟେରା । ମରଣାନ୍ତକ ଆକ୍ରମଣ କରି ସଫ୍ଟଓ୍ବେୟାର ଇଂଜିନିୟରଙ୍କଠାରୁ ମୋବାଇଲ ଝାମ୍ପି ନେଲେ ଲୁଟେରା । ଲୁଟର ଶିକାର ଯୁବକ ହେଉଛନ୍ତି ନୀଳାଦ୍ରି ବିହାର ବାସିନ୍ଦା ମୁକେଶ ଷଡ଼ଙ୍ଗୀ । ଗତକାଲି ରାତି ସାଢ଼େ ୧୦ଟାରେ ସହିଦନଗର ଥାନା ପ୍ଲାନେଟରିୟମ ଛକରେ ବାଇକ ଛିଡ଼ା କରି କଥା ହେଉଥିବା ବେଳେ ଜଣେ ତାଙ୍କ ବାଇକ ଆଗରେ ରଖିଥିଲେ । ଆଉ ଜଣେ ଲୁଟେରା ପଛପଟୁ ଆସି ମୋବାଇଲ ଛଡ଼ାଇ ନେଇଥିଲେ ।

ଦୁଇ ଲୁଟେରାଙ୍କ ସହ ମୁକେଶଙ୍କ ଧସ୍ତାଧସ୍ତି ହୋଇଥିଲା । ମୋବାଇଲ ନଛାଡ଼ିବାରୁ ଭୁଜାଲି ଓ ଲୁହା ରଡରେ ହାତ ଓ ଗୋଡ଼କୁ ଆକ୍ରମଣ କରିଥିଲେ । ତଥାପି ମୋବାଇଲ ନେଇ ଖସି ପଳାଉ ଥିବାବେଳେ ଚଳନ୍ତା ବାଇକକୁ ପିଛା କରି ଗୋଡ଼ାଇ ପଛପଟୁ କାବୁ କରିଥିଲେ ମୁକେଶ । ଲୁଟେରାମାନେ ମୁକେଶଙ୍କୁ ୧୦୦ ମିଟର ଘୋଷଡ଼ି ନେଇ ଯାଇଥିଲେ । ତେବେ ଏହି ଘଟଣାରେ ସହିଦ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।