ନୂଆ ମାଲିକ ଆସିବା ପରେ ଟ୍ୱିଟରର ସିଇଓ ପଦରୁ ହଟି ପାରନ୍ତି ଭାରତର ପରାଗ ଅଗ୍ରୱାଲ

ୱାଶିଂଟନ: ଟ୍ୱିଟରର ସିଇଓ ହୋଇପାରନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ । ଯଦିଓ ଏହାକୁ ନେଇ ଅଫିସିଆଲି କୌଣସି ଘୋଷଣା କରାଯାଇ ନାହିଁ ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ସେ ଅସ୍ଥାୟୀ ଭାବେ ଅର୍ଥାତ ନୂଆ ସିଇଓ ନିଯୁକ୍ତ ହେବା ଯାଏ ଏହି ପଦରେ ରହିବେ । ଏଥିରୁ ସ୍ପଷ୍ଟ ଯେ, ୫ ମାସ ତଳେ ଟ୍ୱିଟର୍‌ର ସିଇଓ ହୋଇଥିବା ପରାଗ ଅଗ୍ରୱାଲଙ୍କୁ ଏଲନ ମସ୍କ ଏହି ପଦରୁ ବିଦାୟ ଦେଇ ପାରନ୍ତି । ସୂଚନା ଅନୁସାରେ, ଚଳିତ ବର୍ଷ ଶେଷ ସୁଦ୍ଧା ଏଲନ ମସ୍କ ବିଧିବଦ୍ଧ ଟ୍ୱିଟର୍‌ର ମାଲିକାନା ହାସଲ କରିବେ । ଏହାପରେ ହିଁ ସେ ଟ୍ୱିଟରର ସିଇଓ ପଦକୁ ହାତେଇ ପାରିବେ ଏହା ବ୍ୟତୀତ ସେ ଟ୍ୱିଟରରେ ଆଉ କ’ଣ ସବୁ ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ଜ୍ୟାକ୍ ଡୋରସେ ଟ୍ୱିଟର ଛାଡ଼ିବା ପରେ ଗତବର୍ଷ ନଭେମ୍ବର୍‌ରେ ଭାରତର ପରାଗ ଏହାର ସିଇଓ ହୋଇଥିଲେ । ସବୁ କିଛି ଠିକଠାକ ଚାଲିଥିବା ବେଳେ ଏଲନ ପୂରା ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନର ଡିଲ କରିଥିଲେ । ଏଲନ ମସ୍କ ଟ୍ୱିଟରର ମାଲିକ ହେବାକୁ ଯାଉଥିବାରୁ ପରାଗ ସଂସ୍ଥାର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏଥିସହ ମସ୍କଙ୍କ ମାଲିକାନାରେ ଟ୍ୱିଟର୍‌ର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଥିବା ମଧ୍ୟ ସେ କହିଥିଲେ । ତେଣୁ ଡିଲ୍ ଫାଇନାଲ ହେବା ପରେ ମସ୍କ ପୂରା ମ୍ୟାନେଜମେଣ୍ଟକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ କାଗଜପତ୍ର କାମ ସରିବା ପରେ ହିଁ ସେ ସିଇଓଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ପଦପଦବୀରେ ପରବର୍ତ୍ତନ ହେବ ବୋଲି ଜଣାପଡ଼ିଛି । ପୂର୍ବତନ ସିଇଓ ଜ୍ୟାକ ଡୋରସେଙ୍କୁ ମଧ୍ୟ ମସ୍କ ପୁଣି କମ୍ପାନୀରେ ନିଯୁକ୍ତି ଦେବାକୁ ବିଚାର କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।