ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

ଅସ୍ଥିରତା ବଳୟରେ ଶ୍ରୀଲଙ୍କା । ଖୋଲୁନି ସମାଧାନର ବାଟ । ଦିନକୁ ଦିନ ସ୍ଥିତି ହେଉଛି ଜଟିଳ । ଆସନ୍ତା ବୁଧବାରଠାରୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ କରିଛନ୍ତି ମେଳି । ସେପଟେ ଦେଶରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା ।

ଘନୀଭୂତ ହେବାରେ ଲାଗିଛି ଶ୍ରୀଲଙ୍କା ସଂକଟ । ଦିନକୁ ଦିନ ଅସ୍ଥିରତା ଭିତରକୁ ଠେଲି ହୋଇଯାଉଛି ଦ୍ୱୀପଦେଶ । ଆକାଶଛୁଆଁ ଦରବୃଦ୍ଧି, ଖାଦ୍ୟ, ଇନ୍ଧନ, ମେଡିସିନ ଅଭାବ ଭିତରେ ଦୁର୍ଦ୍ଦଶା ପହଞ୍ଚିଛି ଚରମ ସୀମାରେ । ସାରା ଦେଶରେ ସରକାର ବିରୋଧୀ ଆନ୍ଦୋଳନ ବି ଜାରି ରହିଛି । ଆନ୍ଦୋଳନ ନ କରି ଦେଶ ସମସ୍ୟାର ସମାଧାନ ଲାଗି ଏକାଠି ହେବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ । ସେପଟେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସଂସଦ ଅଧିବେଶନ ।

ତେବେ ଅଧିବେଶନରେ ଆର୍ଥିକ ସଂକଟ ଟାଳିବା ନେଇ ଆଲୋଚନା ବଦଳରେ ରାଜନୈତିକ ଝଡ଼ ଉଠିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ କରିଛନ୍ତି ମେଳି । ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ପର୍କରେ ଘୋଷଣା କରିଥିଲେ ଶ୍ରୀଲଙ୍କା ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା । ବୁଧବାର ଉପବାଚସ୍ପତି ନିର୍ବାଚନ କରାଯିବ କାରଣ ଗତ ଏପ୍ରିଲ ୩୦ରେ ଉପବାଚସ୍ପତି ରଣଜିତ ସିୟାମ୍ପାଲପିତ୍ୟା ଇସ୍ତଫା ଦେଇଥିଲେ । ତେଣେ ଦେଶରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା । ଦେଶର ପ୍ରାୟ ୩ ଲକ୍ଷ ଲୋକ ଭୋକ ଉପାସରେ ରହିଛନ୍ତି ବୋଲି ସେ କହିଛନ୍ତି ।

୧୯୪୮ରେ ସ୍ୱାଧୀନତା ପରଠାରୁ ସବୁଠାରୁ ବଡ଼ ଅର୍ଥନୈତିକ ସମସ୍ୟାରେ ପଡିଥିବା ଶ୍ରୀଲଙ୍ଗାରେ ଜାରି ରହିଛି ବିଜୁଳିକାଟ । ୫୧ ବିଲିୟନ ଡଲାର ଋଣ ଭାରରେ ସଢୁଥିବା ଶ୍ରୀଲଙ୍କା ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାବେଳେ ଗତ ଏପ୍ରିଲ ୧୨ରେ ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷିତ କରିବାକୁ ବାଧ୍ୟ ହୋଇଥିଲା । ସରକାରଙ୍କ ଇସ୍ତଫା ଦାବିରେ ଗତ ଗୁରୁବାର ପ୍ରାୟ ୧୦୦୦ ଟ୍ରେଡ ୟୁନିଅନ କରିଥିଲେ ଦିନିକିଆ ଧର୍ମଘଟ । ତେବେ ଆନ୍ଦୋଳନ ସତ୍ତ୍ୱେ ଇସ୍ତଫା ଦେବାକୁ ଅଗ୍ରାହ୍ୟ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ।