ଏମ୍ସରେ ପ୍ରଥମ: ୧୦ ଘଣ୍ଟା ଅପରେସନ ପରେ ଯୋଡ଼ା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ଆଙ୍ଗୁଳି
ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର । ଡାକ୍ତରୀ ଟିମଙ୍କ ୧୦ ଘଣ୍ଟାର ପରିଶ୍ରମ ପରେ ଯୋଡା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ବାମ ହାତର ଆଙ୍ଗୁଳି । ଅସ୍ତ୍ରୋପଚାର ପରିଚାଳନା କରିଥିଲେ ପୋଡାଜଳା ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡକ୍ତର ସଞ୍ଜୟ ଗିରି । ବ୍ୟକ୍ତି ଜଣଙ୍କ ସୁସ୍ଥ ଅଛନ୍ତି ଓ ଅସ୍ତ୍ରୋପଚାରର ୧୦ ଦିନ ପରେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିବା ଡାକ୍ତର ଗିରି କହିଛନ୍ତି । ଏମ୍ସରେ ଏମିତି ଅସ୍ତ୍ରୋପଚାର ସଫଳତାର ସହ ପ୍ରଥମ ଥର ହୋଇଥିବା ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ୨୦ ଏପ୍ରିଲ ସକାଳେ ଖୋର୍ଦ୍ଧା ଚନ୍ଦେଶ୍ବରର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଳି ଏକ ମେସିନ କଟ୍ଟରରେ ସମ୍ପୂର୍ଣ୍ଣ କଟିଯାଇଥିଲା । ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ରବୀନ୍ଦଙ୍କୁ ଏମ୍ସକୁ ଅଣାଯାଇଥିବା ବେଳେ ସାଙ୍ଗରେ କଟି ଯାଇଥିବା ଆଙ୍ଗୁଳିଟି ମଧ୍ୟ ପରିବାର ଲୋକେ ଆଣିଥିଲେ । ତାଙ୍କୁ ଓଟିରେ ଭର୍ତ୍ତି କରାଯିବା ସହ କଟା ଆଙ୍ଗୁଳିକୁ କମ ତାପମାତ୍ରାରେ ସୁରକ୍ଷିତ ରଖାଯାଇଥିଲା ।
ସକାଳ ପ୍ରାୟ ୯ଟାରେ ରବୀନ୍ଦ୍ରଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଯିବା ସହ ତାଙ୍କୁ ଆନେଥେସିଆ ଦିଆଯାଇଥିଲା । ଡକ୍ତର ଗିରିଙ୍କ ନେତୃତ୍ବରେ ଡକ୍ତର ସାନ୍ତନୁ ଶୁଭ, ଡାକ୍ତର କୌଶିଖ, ଡକ୍ତର ଆହାନା ଏବଂ ଡକ୍ତର ଗୋପିକାଙ୍କୁ ନେଇ ଟିମ୍ ରବୀନ୍ଦ୍ରଙ୍କ ଅପରେସନରେ କରିଥିଲେ । ଆନେଥେସିଆ ଟିମରେ ଡକ୍ତର ନିତିଶା ଏବଂ ଡକ୍ତର ପ୍ରେଗମାଂଶୁ ଥିଲେ ।
ମାଇକ୍ରୋସ୍କପ ଜରିଆରେ କଟି ଯାଇଥିବା ଧମନୀ, ଶିରା ଓ ଅନ୍ୟ ଅଂଶକୁ ଡିଜିଟାଲି ସଂଯୋଗ କରିବାକୁ ପ୍ରସ୍ତୁତ କରାଯାଇଥିଲା । ଏହାପରେ ସୁରକ୍ଷିତ ଭାବେ ଏହାକୁ ରବୀନ୍ଦ୍ରଙ୍କ ହାତରେ ଯୋଡା ଯାଇଥିଲା । ଏଥିପାଇଁ ଡାକ୍ତରୀ ଟିମଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା । ଅପରେସନ ପରେ ରବୀନ୍ଦ୍ରଙ୍କ କଟା ଆଙ୍ଗୁଳିକୁ ରକ୍ତ ସରବରାହ ଆରମ୍ଭ ହୋଇଥିଲା । ଏହାର ଅର୍ଥ ହେଉଛି ଅସ୍ତ୍ରୋପଚାର ସଫଳ ହୋଇଥିଲା । ପରେ ଫିଜିଓ ଥେରାପୀ ଜରିଆରେ ରବୀନ୍ଦ୍ରଙ୍କ ଆଙ୍ଗୁଳି କାମ କରିବା ଆରମ୍ଭ କରିଥିଲା ।
ଅସ୍ତ୍ରୋପଚାରକୁ ନେଇ ଡାକ୍ତର ଗିରି କହିଛନ୍ତି, ପ୍ରଥମ ୬ ଘଣ୍ଟା ବହୁତ ମହତ୍ବପୂର୍ଣ୍ଣ ଥିଲା । ଏମିତି ଘଟଣାରେ କଟି ଯାଇଥିବା ଅଂଶକୁ ପ୍ରଥମେ ଗଜ କପଡା, ଲୁଗାରେ ଗୁଡାଇ ଏକ ପଲିଥିନରେ ରଖାଯାଇଥାଏ । ଏହାପରେ ଉକ୍ତ ପଲିଥିନ ବ୍ୟାଗକୁ ଏକ ଆଇସ୍ ଚ୍ୟାମ୍ବରରେ ସୁରକ୍ଷିତ ରଖାଯାଇଥାଏ । ଯେମିତି ଏହା ବରଫ ସହ ସିଧାସଳଖ ସଂସ୍ପର୍ଶରେ ଆସି ନଥାଏ ।