ଆଉ ଉଠୁନି ୩୨ ଦାନ୍ତ, ୨୫ ପ୍ରତିଶତ ଯୁବକଙ୍କ ୨୮ ଦାନ୍ତ

ନୂଆଦିଲ୍ଲୀ: ଆପଣ ଅନେକ ଥର ଲୋକଙ୍କୁ ୩୨ଟି ଦାନ୍ତ ବିଷୟରେ କୌଣସି ବାକ୍ୟ କହିଥିବାର ଶୁଣିଥିବେ । କିଏ କିଏ ରାଗିଗଲେ କୁହନ୍ତି ୩୨ ଝଡ଼େଇ ଦେବି, ଆଉ କେହି ଚିଡ଼ିଯାଇ କୁହନ୍ତି ଆଉ ୩୨ ଦେଖାନି । ଏ ସବୁ ଥଟ୍ଟା ମଜାକର କଥା ଓଡ଼ିଶାରେ ପୁରୁଣା କାଳରୁ ଶୁଣିବାକୁ ମିଳେ ।  ସେ ମଜାକରେ ହେଉ ବା ରାଗରେ ।  କିନ୍ତୁ ଧୀରେ ଧୀରେ ଏସବୁ ଆଉ ଶୁଣିବାକୁ ମିଳୁନି । ଏହି ସବୁ ଲୋକକଥା ବିଲୁପ୍ତ ହେବାକୁ ବସିଲାଣି । ଏହା ପଛର ଏକମାତ୍ର କାରଣ ହେଉଛି ଆଜିକାଲି ଲୋକଙ୍କ ନିକଟରେ ୩୨ଟି ଦାନ୍ତ ଆଉ ଦେଖିବାକୁ ମିଳୁନି । ୩୨ଟି ଦାନ୍ତ ପରିବର୍ତ୍ତେ କେବଳ ୨୮ଟି ଦାନ୍ତ ଦେଖିବାକୁ ମିଳୁଛି । ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ଠାରେ ହୁଏତ ଏହି ସମାନ ଘଟଣା ଦେଖିବାକୁ ପାଇବେ ।

ଏହାକୁ ନେଇ ବାରଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍‌ ଡେଣ୍ଟାଲ ସାଇନ୍ସର  ବରିଷ୍ଠ ଦାନ୍ତ ବିଶେଷଜ୍ଞ ଏକ ଗବେଷଣା କରିଥିଲେ । ଗବେଷଣା ଅନୁସାରେ ଗତ ୨୦ ବର୍ଷ ଧରି ତାଙ୍କ ଓପିଡିକୁ ଆସିଥିବା ୨୫ ପ୍ରତିଶତ ଯୁବକଙ୍କ ନିକଟରେ କେବଳ ୨୮ଟି ଦାନ୍ତ ଦେଖିବାକୁ ମିଳିଛି । ୩୫ ପ୍ରତିଶତଙ୍କ ନିକଟରେ ଅତି କଷ୍ଟରେ ୩୨ଟି ଦାନ୍ତ ଦେଖିବାକୁ ମିଳିଛି । ତାହା ମଧ୍ୟ ଅଙ୍କାବଙ୍କା ଦାନ୍ତ, ଯାହାକୁ ଚିକିତ୍ସା କରି ସିଧା କରାଯାଉଛି ।

ପ୍ରଫେସର ଚତୁର୍ବେଦୀଙ୍କ କହିବା ହେଉଛି, ପ୍ରାୟ ୧୮ରୁ ୨୫ ବର୍ଷ ମଧ୍ୟରେ  ୨୯ରୁ ୩୨ଟି ଦାନ୍ତ ଉଠିଥାଏ । ଏହାକୁ ଥର୍ଡ଼ ମୋଲାର ଦାନ୍ତ ବୋଲି କୁହାଯାଏ । ଡାକ୍ତରଙ୍କ କହିବା ହେଉଛି ୨୦ ବର୍ଷ ହେବ ୨୫ ପ୍ରତିଶତ ରୋଗୀଙ୍କ ନିକଟରେ ଥର୍ଡ଼ ମୋଲାର ଦାନ୍ତ ଦେଖିବାକୁ ମିଳୁନି । କେବଳ ସେତିକି ଖାଦ୍ୟକୁ ଚୋବାଇବା ପାଇଁ ୧୨ଟି ଦାନ୍ତ ଥାଏ, ଆଜିକାଲି ତାହା ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ । ପ୍ରଫେସରଙ୍କ କହିବା ହେଉଛି ସହରର ଯୁବକଙ୍କ ଠାରେ ଏହି ସମସ୍ୟା ଅଧିକତର ଦେଖିବାକୁ ମିଳୁଛି । ଏହା ପଛର କାରଣ ହେଉଛି ଆଧୁନିକ ଯୁଗର ପିଲାମାନେ ଟାଣ ଖାଦ୍ୟ ଚୋବାଇବା ବନ୍ଦ କରି ଦେଇଛନ୍ତି । ପୂର୍ବରୁ ଲୋକମାନେ ଚଣା, ମଟର, ବାଦାମ ଆଦି ଚୋବାଇ ଖାଉଥିଲେ । ଗାଁ’ରେ ଏବେ ମଧ୍ୟ ଲୋକ ଏହିଭଳି କରୁଛନ୍ତି । କିନ୍ତୁ ସହରର ଚାକଚକ୍ୟ ମଧ୍ୟରେ ଆଜିର ଯୁବପୀଢ଼ି ଏ ସବୁ ଭୁଲିଗଲେଣି । କମ୍‌ ଚୋବାଇବା ଦ୍ୱାରା ମାଢ଼ିର ଆକାର ମଧ୍ୟ କମ୍‌ ହେବାରେ ଲାଗିଛି । ଦାନ୍ତ ଉଠିବା ପାଇଁ ସ୍ଥାନ ମିଳୁନାହିଁ ।