ଦେବଦୂତ ମହିଳା ପୋଲିସ୍: ତତଲା ବାଲିରେ ବୃଦ୍ଧାଙ୍କୁ କାନ୍ଧରେ ବୋହିଲେ ୫ କିମି

1 min read

ଜୟପୁର: ତାତି ଏତେ ଯେ, ବାଲିରେ ପାଦ ଥୋଇ ହେବନି । ତତଲା ବାଲିରେ ପାଦ ଫୋଟକା ହେଇଯାଉଥିଲାବେଳେ ଜଣେ ମହିଳା ପୋଲିସ୍ ଏପରି କିଛି କାମ କରିଛନ୍ତି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମରୁଭୂମୀର ତତଲା ବାଲିରେ ଚାଲି ଚାଲି ଜଣେ ବୃଦ୍ଧାଙ୍କୁ ୫ କିମି କାନ୍ଧରେ ବୋହିଛନ୍ତି ମହିଳା ପୋଲିସ୍ । ବୃଦ୍ଧା ଜଣଙ୍କ ରାମକଥା ଶୁଣିବା ପାଇଁ ଗୁଜୁରାଟର କୁଚ୍ ସ୍ଥିତ ଏକ ମନ୍ଦିରକୁ ଯାଇଥିଲେ । ପ୍ରବଳ ଖରା ଏବଂ ଗରମ ହେଉଥିବାରୁ ସେ ଚାଲିକି ଫେରି ପାରି ନ ଥିଲେ ।

କଚ୍ଛର ଖାଦିର ଦ୍ୱୀପରେ ଥିବା ଭଞ୍ଜଡା ଦାଦାଙ୍କ ମନ୍ଦିରରେ ମୋରାରିବାପୁଙ୍କ ରାମ କଥା ଚାଲିଥିଲା । ବହୁକଷ୍ଟରେ ଚାଲି ଚାଲି ମନ୍ଦିରରେ ଯାଇ  ପହଞ୍ଚିଥିଲେ ୮୬ ବର୍ଷ ବୃଦ୍ଧା। ହେଲେ ଫେରିବା ବେଳେ ପ୍ରବଳ ଖରା ହେଉଥିବାରୁ ସେଠାରୁ ଚାଲିଚାଲି ଫେରିବା ତାଙ୍କପାଇଁ କଷ୍ଟକର ହେଉଥିଲା ।  ଖରା ଏତେ ଥିଲା ଯେ ସେ ଏହାକୁ ସହ୍ୟ କରିପାରିନଥିଲେ । ଏ ବିଷୟରେ ମହିଳା କନଷ୍ଟେବଳ ବର୍ଷାବେନ୍‌ ପରମାର ଜାଣିବା ପରେ ତୁରନ୍ତ ବୃଦ୍ଧ ମହିଳାଙ୍କ ନିକଟରେ ପହଞ୍ଚିଥିଲେ ।

ଏହାପରେ କନଷ୍ଟେବଳ କାନ୍ଧରେ ମହିଳାଙ୍କୁ ବୋହି ୫ କିଲୋମିଟର ଚାଲି ଚାଲି ଘରେ ପହଞ୍ଚାଇଥିଲେ । ଏବେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସାରା ଦେଶର ଲୋକେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଥିବାର ମଧ୍ୟ ଦେଖାଯାଉଛି । ଏହି ଘଟଣାକୁ ନିଜେ ଗୃହମନ୍ତ୍ରୀ ଟ୍ୱିଟ୍ କରି ମହିଳା ପୋଲିସଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।