spot_img

Latest Posts

ଆଜି କୋଟିଆ ଯିବେ ସିଏସ ସୁରେଶ ମହାପାତ୍ର, ବିକାଶମୂଳକ କାର୍ଯ୍ୟର କରିବେ ସମୀକ୍ଷା

କୋରାପୁଟ: ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମ । ସଡ଼କ ପଥରେ ଲାଲଗଡ଼ରେ ପାଦ ରଖି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ । ସିଏସଙ୍କ ୩ ଦିନିଆ ଅବିଭକ୍ତ କୋରାପୁଟ ଗସ୍ତର ଆଜି ଶେଷ ଦିନ । ଶେଷ ଦିନରେ କୋଟିଆ ଓ ଦେଓମାଳି ଗସ୍ତ କରିବେ ମୁଖ୍ୟ ଶାସନ ସଚିବ । କୋଟିଆକୁ ନେଇ ଆନ୍ଧ୍ରର ଷଡ଼ଯନ୍ତ୍ର ଜାରି ରହିଛି । ବାରମ୍ବାର ବିଫଳ ହେବା ପରେ ବି ଲୋଭ ଛାଡ଼ିନି ଆନ୍ଧ୍ର । ସବୁ ସମୟରେ ଆନ୍ଧ୍ରକୁ କଡ଼ା ଜବାବ ଦେଉଛି ଓଡ଼ିଶା । ଏଭଳି ସମୟରେ ସିଏସଙ୍କ କୋଟିଆ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ରାଜ୍ୟ ସରକାରଙ୍କ ତରଫରୁ କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି ।

ଆଜି ସେସବୁର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । କୋଟିଆ ସହିତ ଦେଓମାଳି ଓ କୋରାପୁଟ ମେଡିକାଲ କଲେଜ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗତକାଲି ମାନକାନଗିରିର ସ୍ୱାଭିମାନ ଅଞ୍ଚଳରେ ସେ ସମୀକ୍ଷା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ସଡ଼କ ନିର୍ମାଣ, ସ୍ୱାସ୍ଥ୍ୟସେବା, ଟେଲିକମ ସେବା, ଚାଷୀଙ୍କ ରୋଜଗାର ବୃଦ୍ଧି, ବିକଳ୍ପ ରୋଜଗାର ପନ୍ଥା, ଶିକ୍ଷା, ଜଳସେଚନ, ପର୍ଯ୍ୟଟନ, ବିଦ୍ୟୁତ ସଂଯୋଗ ଆଦି ସବୁ ପ୍ରକାର ବିକାଶମୂଳକ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହୋଇପାରିବ ସେନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Latest Posts

Don't Miss