ଏଥର ଦୁଇ ଥର ନୁହେଁ ବରଂ ଥରକେ ହେବ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷା

1 min read

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏକକ ବୋର୍ଡ ପରୀକ୍ଷା କରାଯିବ । ଚଳିତ ଶିକ୍ଷାବର୍ଷ ପରି ଆଉ ଦୁଇଟି ପରୀକ୍ଷା କରାଯିବ ନାହିଁ । ବରଂ ପୁଣିଥରେ ପୁରୁଣା ପଦ୍ଧତି ଆପଣାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି । ଯାହାକୁ ଆଧାର କରି ଓଡ଼ିଶାରେ ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ସମାନ ପନ୍ଥା ଆପଣାଇବାକୁ ଦୁଇ ଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବ ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି ।

କରୋନା ଯୋଗୁଁ ଦୁଇ ବର୍ଷ ହେଲା ପିଲଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ମୋଟ ସିଲାବସ୍ ପଢ଼ାଯିବା ପରିବର୍ତ୍ତେ ୩୦ ପ୍ରତିଶତ ସିଲାବସ୍ କାଣ୍ଟଛାଣ୍ଟ କରାଯାଇ ଶିକ୍ଷା ପ୍ରଦାନ କରାଯାଇଥିଲା ଏବଂ ସେହି ଅନୁଯାୟୀ ପରୀକ୍ଷା ମଧ୍ୟ କରାଯାଉଛି । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ପରୀକ୍ଷା କରାଯାଇ ପାଠପଢ଼ାକୁ ଅଧିକ ସରଳ କରାଯାଇଥିଲା । ସିବିଏସଇ ପକ୍ଷରୁ ନଭେମ୍ବର-ଡିସେମ୍ବର ମାସରେ ଏମସିକ୍ୟୁ ଫର୍ମାଟରେ ଟର୍ମ-୧ ପରୀକ୍ଷା ହୋଇଥିବାବେଳେ ଏପ୍ରିଲ ୨୬ରୁ ଟର୍ମ-୨ ପରୀକ୍ଷା କରାଯିବ । ୨୦୨୦ ଜାତୀୟ ଶିକ୍ଷା ନୀତି ଆଧାରରେ ଦୁଇଟି ପରୀକ୍ଷା ଢ଼ାଞ୍ଚା ଜାରି ରହିବ ବୋଲି ଆକଳନ କରାଯାଉଥିଲା । ମାତ୍ର ଏବେ କୌଣସି ପରିବର୍ତ୍ତନ ନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । ପୂର୍ବ ଢ଼ାଞ୍ଚା ଅନୁଯାୟୀ ଏକକ ବୋର୍ଡ ପରୀକ୍ଷା ସପକ୍ଷରେ ଅଂଶୀଦାରମାନେ ମତ ପ୍ରକାଶ କରିଛନ୍ତି ।

ଏବେ ସ୍ଥିତିରେ ସୁଧାର ଆସିଛି । ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ସମ୍ପୂର୍ଣ୍ଣ ଶତ ପ୍ରତିଶତ ସିଲାବସରେ ପିଲାଙ୍କୁ ଶିକ୍ଷା ଦିଆଯିବ । ସିଆଇଏସସିଇ ବୋର୍ଡ ମଧ୍ୟ ସମାନ ଢ଼ାଞ୍ଚା ଆପଣାଇବାକୁ ନିଷ୍ପତ୍ତି ନେଇଛି । ତେବେ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି କି ଯେହେତୁ ସିବିଏସଇ ପୁଣି ଥରେ ଏକକ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ତେଣୁ ଆମେ ମଧ୍ୟ ସମାନ ପନ୍ଥା ଆପଣାଇବୁ । ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଅନୁମତି ମିଳିବା ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ।