ଋଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫୦ ଦିନ, ଏଭଳି ଚାଲିଛି ଧ୍ୱଂସଲୀଳା

1 min read

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ଯୁଦ୍ଧକୁ ଆଜି ପୁରିଛି ୫୦ ଦିନ । ତେବେ ଋଷିଆ ସେନା ପାଇଁ ସହଜ ହୋଇନାହିଁ ଯୁକ୍ରେନ ଯୁଦ୍ଧ । ବିଶେଷ କରି ଯୁଦ୍ଧର ଦ୍ବିତୀୟାର୍ଦ୍ଧରେ ୟୁକ୍ରେନ ସେନା ଋଷିଆକୁ କଡା ଟକ୍କର ଦେଇଛି । ବୁଚା ନରସଂହାର ପରେ ଋଷିଆ ବିରୋଧରେ ତୀବ୍ର ହୋଇଛି ଆନ୍ତର୍ଜାତିକ ଆକ୍ରୋଶ । ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛନ୍ତି । ଏସବୁ ମଧ୍ୟରେ ନୂଆ ରଣନୀତି ପ୍ରସ୍ତୁତ କରୁଛି ଋଷିଆ । ଯୁଦ୍ଧକୁ ୫୦ ଦିନ ପୂରିଥିଲା ବେଳେ ଯୁକ୍ରେନର ଅର୍ଥନୀତି ଛାରଖାର ହୋଇଛି । ଖାଲି ଏତିଯକି ନୁହେଁ ଏଥିସହ ଦେଖାଦେଇଛି ମାନବୀୟ ସଂକଟ ଏବଂ ସାରାବିଶ୍ୱରେ ଅନୁଭୂତ ହୋଇଛି ଯୁଦ୍ଧର ପ୍ରଭାବ।

Russia Ukraine War Talk Putin Zelensky Government

ଖାସ୍ କଥା ହେଉଛି ଯୁଦ୍ଧ ଏତେ ଦିନ ଚାଲିବ ବୋଲି ଖୋଦ୍ ପୁଟିନ ବି କେବେ ବିଶ୍ୱାସ କରି ନ ଥିବେ । ଯୁଦ୍ଧ ଏବେ ସମାନ ସ୍ଥିତିରେ ରହିଛି ଓ ପୁଟିନ ବାହିନୀ ଆଶାନୁରୂପକ ସଫଳତା ହାସଲ କରିପାରିନାହିଁ ବୋଲି କୁହାଯାଉଛି । ଖାଲି ଏତିକି ନୁହେଁ ଏହି ଯୁଦ୍ଧରେ ଛାରଖାର ହୋଇଯାଇଛି ୟୁକ୍ରେନର ଅର୍ଥବ୍ୟବସ୍ଥା । ବିଶ୍ୱବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ୟୁକ୍ରେନର ଅର୍ଥବ୍ୟବସ୍ଥା ୪୫ ପ୍ରତିଶତ ଯାଏଁ ସଙ୍କୁଚିତ ହୋଇପାରେ । ଯୁଦ୍ଧ ଯୋଗୁଁ ୟୁକ୍ରେନର ୬୦୦ ବିଲିଅନ ଡଲାରରୁ ଅଧିକ କ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଯୁଦ୍ଧ ଯୋଗୁଁ ଋଷିଆର ଅର୍ଥବ୍ୟବସ୍ଥା ମଧ୍ୟ ୧୦ ପ୍ରତିଶତ ସଙ୍କୁଚିତ ହୋଇପାରେ ।

ଯୁଦ୍ଧ ପ୍ରଭାବ ଯୋଗୁଁ ସୃଷ୍ଟି ହୋଇଛି ବ୍ୟାପକ ମାନବୀୟ ସଂକଟ। ୟୁନିସେଫ ରିପୋର୍ଟ ଅନୁସାରେ ୟୁକ୍ରେନରେ ଦୁଇ-ତୃତୀୟାଂଶ ଶିଶୁ ଘର ଛାଡିଛନ୍ତି। ଏ ଯାଏଁ ପାଖାପାଖି ୨୦୦ ଶିଶୁଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ୨୮ ଲକ୍ଷ ପିଲା ୟୁକ୍ରେନରେ ଫସି ରହିଛନ୍ତି । ୨୦ ଲକ୍ଷ ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି । ରାଜଧାନୀ କିଭ୍, ମାରିୟୁପୋଲ ଓ ଦୋନେସ୍ତକରେ ଶିଶୁଙ୍କ ସ୍ଥିତି ଉଦବେଗଜନକ ।

ଅପରପକ୍ଷେ ୟୁକ୍ରେନ ଅର୍ଥ ମନ୍ତ୍ରାଳୟ ଅନୁସାରେ ଋଷ ସେନାର ଆକ୍ରମଣ ଯୋଗୁଁ ଧ୍ୱଂସ ହୋଇଛି ଦେଶର ୨୩ ହଜାର କିଲୋମିଟର ସଡକ ପଥ। ଋଷ ଆକ୍ରମଣରେ ୮୬୫ ଶିକ୍ଷା ପ୍ରତିଷ୍ଠାନ, ୧୪୫ କଳକାରଖାନା, ୫୪ଟି ପ୍ରଶାସନିକ ଭବନ, ୨୭୭ଟି ପୋଲ, ୧୦ଟି ସାମରିକ ଏୟାରଫିଲ୍ଡ, ୮ଟି ଏୟାରପୋର୍ଟ ଓ ଦୁଇଟି ବନ୍ଦର ମାଟିରେ ମିଶିଯାଇଛି । ଏଥିସହ ୭୪ଟି ଧାର୍ମିକ ସ୍ଥଳ ଓ ୬୨ଟି ସଂସ୍କୃତି ଭବନ ଧ୍ୱଂସ ହୋଇଯାଇଥିବା ସୂଚନା ମିଳିଛି।