ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହାବାଜ ସରିଫ, ଆନୁଷ୍ଠାନିକ ଘୋଷଣା କଲେ ବିରୋଧୀ ମେଣ୍ଟ
1 min readଇସଲାମାବାଦ୍: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହାବାଜ ସରିଫ । ସରିଫଙ୍କ ପ୍ରାର୍ଥିତ୍ବ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ବିରୋଧୀ ମେଣ୍ଟ । ଆସନ୍ତାକାଲି ସଂସଦରେ ସରିଫ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ସମ୍ଭାବନା ରହିଛି । ସେପଟେ ବିଦାୟୀ ସରକାରର ବୈଦେଶିକ ମନ୍ତ୍ରୀ ପିଟିଆଇର ଶାହା ମହମ୍ମଦ କ୍ୟୁରେସିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଛି ଦଳ ।
ସମସ୍ତ ଚେଷ୍ଟା ସତ୍ତ୍ବେ ଶେଷ ହୋଇଛି ଇମ୍ରାନ ଖାଁ ସରକାରଙ୍କ ସାଢେ ତିନି ବର୍ଷର ଇନିଂସ । ହାଇଡ୍ରାମା ମଧ୍ୟରେ ମଧ୍ୟରାତିରେ ସଂସଦରେ ଇମ୍ରାନ ସରକାର ବିରୋଧରେ ଗୃହୀତ ହୋଇଥିଲା ଅନାସ୍ଥା ଭୋଟ୍ । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ୍ ପଡିଥିବା ବେଳେ ଇମ୍ରାନଙ୍କ ଦଳର ସାଂସଦ ଅନୁପସ୍ଥିତ ରହିଥିଲେ । ଅନାସ୍ଥା ଭୋଟ୍ ପୂର୍ବରୁ ବାଚସ୍ପତି ଆସଦ କାଇଜର ଇସ୍ତଫା ଦେଇଥିଲେ । ଉପବାଚସ୍ପତି କାସିମ ସୁରି ବି ଦେଇଥିଲେ ଇସ୍ତଫା । ଅସ୍ଥାୟୀ ବାଚସ୍ପତିଙ୍କ ଜରିଆରେ ହୋଇଥିଲା ଭୋଟିଂ । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ରହିଛି ।
ସେହିପରି, ‘ପାକିସ୍ତାନ୍ ପିପୁଲସ୍ ପାର୍ଟି’ର ମୁଖ୍ୟ ବିଲାୱାଲ୍ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ଗଣମାଧ୍ୟମ ସବୁ ରିପୋର୍ଟ କରୁଛନ୍ତି। ପୂର୍ବରୁ ଶେହବାଜ୍ ତିନିଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଥିଲେ।