ଅଜବ ଗଜବ ବିହାର, ଚୋରି ହୋଇଗଲା ବ୍ରିଜ୍ !

ପାଟନା: ବିହାରର ରୋହତାଶ ଜିଲ୍ଲାର ସାସାରାମରେ ଦିନରେ ଲୁହାର ପୋଲ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି । ଚୋର ଜଳସେଚନ ବିଭାଗର କର୍ମଚାରୀ ହୋଇ ଗାଁ’କୁ ଆସିଲେ ଏବଂ ଜେସିବି ମାଧ୍ୟମରେ ପୋଲ ଭାଙ୍ଗି ଚୋରି କରିନେଲେ। ଏହାପରେ ଗ୍ୟାସ୍‌ କଟର ଦ୍ୱାରା କାଟି ଲୁହା ଟ୍ରାକ୍‌ ଉପରେ ଲଦି ନେଇଗଲେ  । ଆଶ୍ଚର୍ଯ୍ୟର କଥା ହେଉଛି ଏତେ ବଡ଼ ଚୋରି ହୋଇଗଲା, କିନ୍ତୁ ବିଭାଗକୁ ତିଳେମାତ୍ର ଖବର ପହଞ୍ଚିଲା ନାହିଁ ।  ତେବେ ଚୋରିର ତିନି ଦିନ ପରେ ବିଭାଗ ଅଜଣା ଚୋରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

୪୭ ବର୍ଷ ପୁରୁଣା ପୋଲ ଜିଲ୍ଲାର ନାସରିଗଞ୍ଜ ଅଞ୍ଚଳର ଅମିୟାବାରଠାରେ ନିର୍ମିତ ହୋଇଥିଲା । ଯାହାର ଲମ୍ବ ୧୦୦ ଫୁଟ ଏବଂ ପ୍ରସ୍ଥ ୧୦ ଥିଲା ୧୦ ଫୁଟ । ତେବେ ପୋଲରେ ପ୍ରାୟ ୫ ଶହ ଟନ୍‌ ଲୁହା ଲାଗିଥିଲା ବୋଲି କୁହାଯାଉଛି । ଚୋର ପୋଲ ଭାଙ୍ଗିବା ବେଳେ ଗାଁ ଲୋକ ପ୍ରଶ୍ନ କରିଥିଲେ, କିନ୍ତୁ ଜଳସେଚନ ବିଭାଗର କର୍ମଚାରୀର ପରିଚୟ ଦେଇ କାମକୁ ସହଜ କରି ଦେଇଥିଲେ ମିଛ କର୍ମଚାରୀ ବା ଚୋର ।

ଜଣେ ଗ୍ରାମବାସୀଙ୍କ କହିବା ହେଉଛି ପୂର୍ବରୁ ନହରରେ କୌଣସି ପୋଲ ନଥିଲା । ଲୋକ ଡଙ୍ଗା ମାଧ୍ୟମରେ ନଈ ପାର ହେଉଥିଲେ । କିନ୍ତୁ ୧୯୬୬ ମସିହାରେ ଗ୍ରାମବାସୀ ନଈ ପାର ହେବାବେଳେ ଡଙ୍ଗାଟି ବୁଡ଼ି ଯାଇ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାପରେ ୧୯୭୨ରୁ ୧୯୭୫ ମଧ୍ୟରେ ପୋଲ ନିର୍ମାଣ ହୋଇଥିଲା । କିନ୍ତୁ ଏହା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହେବାରୁ ଅନ୍ୟ ଏକ ପୋଲ ନିର୍ମାଣ କରାଗଲା ।ଏହି ପୋଲ ବ୍ୟବହାର ହେଉନଥିବାରୁ ଲୋକ ଚୋରଙ୍କ ଚାଲାକି ବୁଝି ପାରିଲେନି । ଚୋରଙ୍କୁ ସତ ଜଳସେଚନ କର୍ମଚାରୀ ବୋଲି ଭାବିନେଲେ । ତେବେ ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା କହିଛନ୍ତି ଜଳସେଚନ ବିଭାଗର ଜୁନିଅର ଇଞ୍ଜିନିୟର ।