ଶାଶୂଙ୍କ ମୃତ୍ୟୁର ୧୨ ବର୍ଷ ପରେ ବି ଚାଲୁଛି ଆକାଉଣ୍ଟ, ୧୮ ମାସରେ ୬୪ ଲକ୍ଷ ଜମା କରିଛନ୍ତି ଯନ୍ତ୍ରୀ ଜ୍ୱାଇଁ
ଜୟପୁର: ମୃତ ଶାଶୂଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଚଳାଉଥିଲେ ସରକାରୀ ବାବୁ । ଜେରା ବେଳେ ମାଲାକନଗିରି ଜିଲ୍ଲା ଗାମ୍ୟ ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ଭିଜିଲାନ୍ସ ଆଗରେ କହିଛନ୍ତି ସାଂଘାତିକ ତଥ୍ୟ । ମୃତ ଶାଶୂଙ୍କ ନାଁରେ ଦୁଇ ଦୁଇଟି ବ୍ୟାଙ୍କ ଖାତା ଚଳାଉଥିଲେ ଆଶିଷ । ସେହି ଆକାଉଣ୍ଟରେ ପ୍ରଚୁର ଟଙ୍କା ଜମା ହୋଇଥିଲା । ଦୁଇଟି ଯାକ ଆକାଉଣ୍ଟକୁ ଫ୍ରିଜ୍ କରିଛି ଭିଜିଲାନ୍ସ । ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୧ କୋଟି ୩୯ଲକ୍ଷ ଠାବ କରିଥିଲା ଭିଜିଲାନ୍ସ । ଏହାସହ ୧.୨ କିଲୋରୁ ଅଧିକ ଓଜନର ସୁନା, ସୁନା ବିସ୍କୁଟ ଠାବ କରାଯାଇଥିଲା ।
ଜେରାରୁ ମିଳିଥିବା ତଥ୍ୟ ଅନୁସାରେ, ଆଶିଷଙ୍କ ଶାଶୂଙ୍କ ମୃତ୍ୟୁ ପ୍ରାୟ ୧୨ ତଳେ ହୋଇଥିଲା । ୨୦୧୦ ଅକ୍ଟୋବର ୩୧ରୁ ଶାଶୂଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଦୀର୍ଘ ୧୨ ବର୍ଷ ଧରି ୨ଟି ଆକାଉଣ୍ଟ ଅପରେଟ୍ କରୁଥିଲେ । ୨୦୨୦ ଜୁଲାଇ ୧୧ରୁ ୨୦୨୨ ମାର୍ଚ୍ଚ ୨୫ ମାତ୍ର ଏକ ବର୍ଷ ୮ ମାସ ମଧ୍ୟରେ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ମୃତ ଶାଶୂଙ୍କ ମାଲକାନଗିରି ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ୧୬ ଥରରେ ୬୪ ଲକ୍ଷ ଟଙ୍କା ଜମା କରିଥିଲେ । ଏପରିକି ଯାଞ୍ଚରୁ ବର୍ତ୍ତିବା ଲାଗି ସେ ବାରମ୍ବାର ୨ ଲକ୍ଷ ଟଙ୍କାରୁ କମ୍ ଯେମିତି ୧ ଲକ୍ଷ ୯୮ ହଜାର ଟଙ୍କା ଜମା କରୁଥିବା ଭିଜିଲାନ୍ସ ଆଗରେ ମାନିଛନ୍ତି ।
ଶାଶୂଙ୍କ ନାଁରେ ମାଲକାନଗିରିରେ ଥିବା ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟ ସହ ଆଶିଷ କେନ୍ଦୁଝରରେ ଥିବା ଏସବିଆଇ ଆକାଉଣ୍ଟ ପରିଚାଳନା କରୁଥିଲେ । ଭିଜିଲାନ୍ସ ରେଡ୍ ବେଳେ ଆଶିଷଙ୍କ ନାଁରେ ୯ କୋଟିରୁ ଅଧିକ ସମ୍ପତ୍ତି ପାଇଛି । ଆଶିଷ ଚାକିରି କାଳରେ କେତେ ପରିମାଣରେ ବେଆଇନ୍ ସମ୍ପତ୍ତି ଅର୍ଜନ କରିଛନ୍ତି ତାର ତଦନ୍ତ ଏବେବି ଭିଜିଲାନ୍ସ ଜାରି ରଖିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଶିଷଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଥିଲା ଭିଜିଲାନ୍ସ । ଆଜି ରିମାଣ୍ଡ ଶେଷ ହେବା ପରେ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଗତ ମାର୍ଚ୍ଚ ୨୯ ତାରିଖରେ ଆଶିଷଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ୩୦ ତାରିଖରେ କୋର୍ଟରେ ହାଜର କରିଥିଲା ।