EOW ହାତରେ ଦୁଇ ହାର୍ଡକୋର ଠକ, ୨ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ଗିରଫ

1 min read

ଭୁବନେଶ୍ୱର: କୋଟି କୋଟି ଟଙ୍କା ଠକେଇ, ହାୱାଲା ଏବଂ ଅପରାଧରେ ସଂପୃକ୍ତ ଦୁଇ ହାର୍ଡକୋର ଠକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲ୍ୟୁ । ଭୁବନେଶ୍ୱର ଇଓଡବ୍ଲ୍ୟୁ ରାକେଶ କୁମାର ଗିରିଜା ଶଙ୍କର ପାଣ୍ଡେ ଓ ଶ୍ରମଣ ସିଂ ତୋମାରକୁ ବାନ୍ଧିଛି । ଗତ ୨୬ ତାରିଖରେ ଉଭୟଙ୍କୁ ମୁମ୍ବାଇରୁ ଗିରଫ କରିଛି EOW । ଏମାନଙ୍କୁ ବାନ୍ଦ୍ରା ହଲିଡେ’ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ଶହେ କୋଟିର ଫଣ୍ଡିଂ କରାଇଦେବାକୁ କହି ଅଭିଯୋଗକାରୀ ଅଶୋକ କୁମାର ସିଂହଙ୍କୁ ୨ କୋଟିରୁ ଅଧିକ ଟଙ୍କାର ଚୂନ ଲଗାଇ ଫେରାର ହୋଇଯାଇଥିଲେ ରାକେଶ ପାଣ୍ଡେ ଓ ଶ୍ରମଣ ସିଂ ।

ସୂଚନା ଅନୁସାରେ କରୋନାରେ ବେପାର ମାନ୍ଦା ଧରିବାରୁ ଅଶୋକଙ୍କୁ ରାକେଶ ଓ ଶ୍ରମଣ ଶହେ କୋଟିର ପାଣ୍ଠି ଯୋଗାଇ ଦେବେ ବୋଲି ଆଶା ଦେଖାଇଥିଲେ । କିନ୍ତୁ ପ୍ରଥମେ ତାଙ୍କୁ ୨ କୋଟିରୁ ଅଧିକ ଅର୍ଥ ଦେବାକୁ କହିଥିଲେ । ବେପାର ପାଇଁ ଅଶୋକ ଦୁଇ କୋଟି ଦେଇ ଫସିଯାଇଥିଲେ । ଠକି ଯାଇଥିବା ଜାଣିବା ପରେ ଅଶୋକ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁ ମାମଲାରେ ତନାଘନା କରି ମୁମ୍ବାଇରୁ ରାକେଶ ଓ ଶ୍ରମଣକୁ ଗିରଫ କରିଛି । ତଦନ୍ତ ସମୟରେ ଜଣାପଡିଛି ଯେ, ରାକେଶ ଜଣେ ଧୂର୍ତ୍ତ ଠକ ହୋଇଥିବାବେଳେ ଶ୍ରମଣ ବହୁ ଦିନ ଧରି ବେଆଇନ ହାୱାଲା କାରବାରେ ଜଡିତ । ଏମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଡେବିଡ କାର୍ଡ, କ୍ରେଡିଟ କାର୍ଡ, ବିଭିନ୍ନ ବ୍ୟାଙ୍କ ଚେକସ୍‌, ମୋବାଇଲ ଫୋନ, ଗ୍ଲକ ପିସ୍ତଲ ଓ ୮ ରାଉଣ୍ଡ ଗୁଳି, ୫୦ ହଜାର କ୍ୟାସ ଜବତ କରିଛି ଇଓଡବ୍ଲ୍ୟୁ । ରାକେଶ ୧୫ଟି ଡକାୟତି, ହତ୍ୟା ଉଦ୍ୟମ ଭଳି  ଅପରାଧିକ ମାମଲାରେ ଜଡିତ ଥିବାବେଳେ ମୁମ୍ବାଇ, ମହାରାଷ୍ଟ୍ର ଓ ୟୁପିରେ କେସ ଗଡୁଛି । ଏହି ମାମଲାରେ ଜଡିତ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ତନାଘନା ଚାଲିଛି ।