ଭୁବନେଶ୍ୱର: ଆସନ୍ତାକାଲି ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ କାଉଣ୍ଟିଂ ଆରମ୍ଭ ହେବା । ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଶେଷ ହେବା ଯାଏଁ ଚାଲିବ । ୩୧୪ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନର ଗଣତି ଆରମ୍ଭ ହେବ । କେବଳ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ୨ଟି ଜୋନର କାଉଣ୍ଟିଂ ହେବ । ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଗଣତି ପ୍ରକ୍ରିୟା ଚାଲିବ । ବ୍ଲକସ୍ତରରେ ଗୋଟିଏ ଗୋଟିଏ ୱାର୍ଡର କାଉଣ୍ଟିଂ ସରିବା ପରେ ମାଇକ ମାଧ୍ୟମରେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।
ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । କୌଣସି ଗଣ୍ଡଗୋଳକୁ ଏଡ଼ାଇବା ପାଇଁ କାଉଣ୍ଟିଂ ସେଣ୍ଟର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । କରୋନା କଟକଣା ଯୋଗୁଁ କୌଣସି ବିଜୟ ଉତ୍ସବ ହେବ ନାହିଁ ।
ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ବିଜେପି ସାମ୍ବାଦିକ ସମ୍ମିଳନୀର କଡ଼ା ଜବାବ ରଖିଛି ବିଜେଡି। ପଞ୍ଚାୟତ ଫଳାଫଳକୁ ନେଇ ଭୟରେ ବିଜେପି। ବିଜେପି ନେତା ଓ କର୍ମୀ ଅତ୍ୟନ୍ତ ଭାବେ ଭାଙ୍ଗିପଡିଛନ୍ତି, ଦୁଃଖିତ ଅଛନ୍ତି । ସେମାନେ ଜାଣିଛନ୍ତି ଆସନ୍ତାକାଲି ଭୋଟ ଗଣତିରେ ହାର ହେବାକୁ ଯାଉଛି। ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କେବଳ ଆଇ ମାଆ କାହାଣୀ ଗପିଲେ । ସେ ହୁଏ ତ ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବୋଧେ ସାମ୍ବାଦିକ ସମିଳନୀ କରିଛନ୍ତି। ପୌର ନିର୍ବାଚନରେ ବିଜେପିର ହାର ହେବ। ଓଡ଼ିଶା ଲୋକ ଜାଣିଛନ୍ତି କିଏ କାମ କରୁଛି। ସାଢେ ଚାରିକୋଟି ଓଡ଼ିଶାବାସୀ ପୁଣି ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେବ ।

