ଭୋକ ପାଇଁ ଦାନ, ଏଲନ୍ ମସ୍କ୍ ଦେଲେ ୪୫ ହଜାର କୋଟି ଟଙ୍କା !
୪୫ ହଜାର କୋଟି ଟଙ୍କା କଥା ଏଇଥିପାଇଁ ଉଠିଛି ଯେ, ଜଣେ ବ୍ୟକ୍ତି ଏତିକି ଟଙ୍କା ଦାନ କରିଛନ୍ତି । ଦୁନିଆରୁ ଭୋକ କମ କରିବା ପାଇଁ ସେ ଏହା ଦାନ କରିଛନ୍ତି । ଅବଶ୍ୟ କହିବା ଲୋକ କହୁଛନ୍ତି ଟ୍ୟାକ୍ସ ଫାଙ୍କିବା ପାଇଁ ସେ ଏମିତି କରିଛନ୍ତି । କିନ୍ତୁ ସତ ହେଲା ଟ୍ୟାକ୍ସ ବଂଚାଇବା ପାଇଁ ହେଉ କି ଭଲ ମନରେ ହେଉ,ସେ ୪୫ ହଜାର କୋଟି ଟଙ୍କା ଦାନ କରିଛନ୍ତି । ଏବେ ଆପଣ ଭାବୁଥିବେ କଳିଯୁଗର ସେହି କର୍ଣ୍ଣ କିଏ ? ୪୫ ହଜାର କୋଟି ଦାନ କରିଥିବା କର୍ଣ୍ଣ କିନ୍ତୁ ଭାରତରେ ରୁହନ୍ତି ନାହିଁ । ସେ ଭାରତ ଠାରୁ 13 ହଜାର ୧୪୨ କିଲୋମିଟର ଦୂର ଆମେରିକାରେ ରୁହନ୍ତି ଆମ ସମୟର ଦାନବୀର । ନାଁ ହେଉଛି ଏଲନ୍ ମସ୍କ୍ ।
ଏଲନ୍ ମସ୍କ । ନାଁ ତ’ ନିଶ୍ଚୟ ଶୁଣିଥିବେ । ଦୁନିଆର ସବୁଠାରୁ ଧନୀ । ଦୁନିଆକୁ ଇନ୍ଧନର ନୂଆ ରୂପ ଦେବାକୁ ଟେସଲା ତିଆରି କରିଥିବା ବ୍ୟକ୍ତି । ଭବିଷ୍ୟତରେ ମହାକାଶରେ ମାନବ ବସତି ତିଆରିର ସ୍ୱପ୍ନ ଦେଖୁଥିବା ଏଲନ୍ ମସ୍କଙ୍କୁ ଲୋକଙ୍କ ଭୋକ ଦରଦି କରିଛି । ଆଉ ଭୋକ ଦୂର କରିବା ପାଇଁ ସେ ଦାନ କରିଛନ୍ତି ୪୫ ହଜାର କୋଟି ଟଙ୍କା ।
ନଗଦ ନୁହେଁ ସେୟାର । ତେବେ ମସ୍କ ନଗଦ ଆକାରରେ ଏହି ଟଙ୍କା ଦାନ କରି ନାହାନ୍ତି । ସେ ଟେସଲା କମ୍ପାନୀର ସେୟାରକୁ ଦାନ କରିଛନ୍ତି । ଏହି ସେୟାର ବିକ୍ରିରୁ ଆଜିର ସମୟରେ ଯଦି ବିକ୍ରି କରାଯାଏ ତେବେ ମିଳିବ ୫.୭ ବିଲିୟନ ଡଲାର ବା ୪୫ ହଜାର କୋଟି ଟଙ୍କା ।
ମସ୍କ ଗତବର୍ଷ ନଭେମ୍ବର ମାସରେ ଗୋଟିଏ ପୋଲ୍ କରିଥିଲେ । ଟ୍ୱିଟରରେ ସେ ପଚାରିଥିଲେ ଯେ, ୧୦ ପ୍ରତିଶତ ଟେସଲା ସେୟାର ବିକ୍ରି କରିବା ଠିକ୍ ହେବ କି ? ଅଧିକାଂଶ କହିଲେ ବିକ୍ରି କରନ୍ତୁ । ଏହା ପରେ ମସ୍କ ନିଜର ୫୦ ଲକ୍ଷ ସେୟାର ଦାନ କରିଛନ୍ତି । ମସ୍କ୍ ଭୋକ ଦୂର କରିବା ପାଇଁ ଏହି ସେୟାର ଦାନ କରିଛନ୍ତି । କିନ୍ତୁ ସମାଲୋଚକଙ୍କ କହିବା କଥା ହେଉଛି ଆମେରିକା ସଂସଦ ଧନିକଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ଯାଉଛି । ତେଣୁ ଆଗୁଆ ମସ୍କ ସେୟାର ଦାନ କରି ଟ୍ୟାକ୍ସ ବଂଚାଇଛନ୍ତି । ଏଭଳି ସମାଲୋଚନା ପଛରେ ମଧ୍ୟ କାରଣ ରହିଛି । ଗତବର୍ଷ ଟ୍ୟାକ୍ସକୁ ନେଇ ସାଂସଦ ବର୍ଣ୍ଣି ସ୍ୟାଣ୍ଡର୍ସ ଓ ମସ୍କଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ ହୋଇଥିଲା । ବର୍ଣ୍ଣି ଆମେରିକାର ଧନୀଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବାର ପକ୍ଷଧର ଅଛନ୍ତି । ବର୍ଣ୍ଣିଙ୍କୁ କଟାକ୍ଷ କରିବାକୁ ଯାଇ ମସ୍କ ତାଙ୍କ ବୟସକୁ ଟାର୍ଗେଟ୍ କରିଥିଲେ । କହିଥିଲେ ‘ବର୍ଣ୍ଣି ଆପଣ ବଂଚିଛନ୍ତି ବୋଲି ମୁଁ ଭୁଲି ଯାଇଛି’’ । ଏହାପରେ ସେ ବର୍ଣ୍ଣିଙ୍କୁ ପଚାରିଥିଲେ ମୋତେ କୁହନ୍ତୁ ଯେ ମୁଁ ମୋ ସେୟାର ବିକ୍ରି କରିବି କି ?
ଦୁଇ ଜଣଙ୍କ ମଧ୍ୟରେ ଏଭଳି ବାକ୍ୟଯୁଦ୍ଧ ଚାଲିଥିବା ବେଳେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶଖ ଡେଭିଡ୍ ବେସ୍ଲିଙ୍କ ଏଣ୍ଟ୍ରି ହୋଇଥିଲା । ବେସ୍ଲି କହିଥିଲେ ଯେ, ଆଗାମୀ ଦିନରେ ବିଶ୍ୱର ୪୫ ମିଲିୟନରୁ ଅଧିକ ଲୋକ ଭୋକରେ ମରିବେ । ମସ୍କଙ୍କ ଭଳି ଧନି ହିଁ ଏହି ଲୋକଙ୍କୁ ବଂଚାଇ ପାରିବେ । ସେ କହିଥିଲେ ଯେ, ମସ୍କ ଯଦି ନିଜ ସମ୍ପତିରୁ ୬ ବିଲିୟନ ଡଲାର ଦାନ କରନ୍ତି ତେବେ ଏହି ୪୫ ମିଲିୟନ ବ୍ୟକ୍ତି ବଂଚିଯିବେ । ଏହାପରେ ମସ୍କ,ବେସ୍ଲିଙ୍କୁ ପଚାରିଥିଲେ ମୋତେ କୁହନ୍ତୁ ଆପଣଙ୍କ ପ୍ଲାନ୍ କ’ଣ ? ଆପଣ ଯଦି ମୋତେ ବୁଝାଇ ପାରିବେ ଯେ କେମିତି ଦୁନିଆରୁ ଭୋକ ଦୁର ହୋଇପାରିବ ,ତେବେ ମୁଁ ଦାନ କରିବାକୁ ପ୍ରସ୍ତୁତ ହୋଇଛି ।
ଏହାପରେ ବେସ୍ଲି ତାଙ୍କୁ ଉତ୍ତର ଦେଇଥିଲେ । ଲାଗୁଛି ବେସ୍ଲିଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ମସ୍କ ପୁରା ୬ ବିଲିୟନ ନହେଲେ ମଧ୍ୟ ୫.୭ ବିଲିୟନ ଡଲାର ଦାନ କରିଛନ୍ତି ।