ଟଙ୍କା ନେଇ ସରକାରୀ ଘର ବାଣ୍ଟୁଛନ୍ତି ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ

କଟକ: କଟକରେ ସରକାରୀ ଘର ଲୁଟ । ସରକାରୀ ଘରକୁ କବଜା କରି ଏକାଧିକ ଲୋକଙ୍କୁ ଲକ୍ଷାଧିକ ଟଙ୍କାରେ କରାଯାଉଛି ବିକ୍ରି । ଘର ଦେବାକୁ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ନେଇଛନ୍ତି ମୋଟା ଅଙ୍କର ଟଙ୍କା । କାହାଠାରୁ ୨୦ ହଜାର ତ କାହାଠାରୁ ୫୦ ହଜାର ଓ କାହାଠାରୁ ଲକ୍ଷେ ଟଙ୍କା, କରିଛନ୍ତି ଆଦାୟ ।

ସିଏମସି ୫୩ ନମ୍ବର ଓ୍ବାର୍ଡ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣଙ୍କ ନାଁରେ ଆସିଛି ଏମିତି ସାଂଘାତିକ ଅଭିଯୋଗ । କଟକ ଅନ୍ଦରପୁରଠାରେ ଥିବା ଆପାର୍ଟମେଣ୍ଟରେ ୧୯୨ଟି ଫ୍ଲାଟ  ଥିବାବେଳେ ମହାନଗର ନିଗମ ପକ୍ଷରୁ ମାତ୍ର ୬୬ ଜଣ ହିତାଧିକାରୀଙ୍କୁ ମିଳିଥିଲା ଘର । ବାକି ଘରଗୁଡିକୁ ବେଆଇନ ଭାବେ ଜବରଦଖଲକୁ ନେଇ ୨୫ରୁ ଅଧିକ ପରିବାରକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

ଅନେକ ଲୋକ ଟଙ୍କା ଦେଇ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଘର ପାଇନାହାନ୍ତି । ମହାନଗର ନିଗମ ପକ୍ଷରୁ ଗୁରୁବାର ଜବରଦଖଲକାରୀ ପରିବାରକୁ ଉଚ୍ଛେଦ କରାଯିବା ସହ ଘର ଗୁଡିକୁ ସିଲ୍ କରାଯାଇଛି । ସେପଟେ ଠକାମିର ଶିକାର ହୋଇଥିବା ପ୍ରାୟ ୮୦ରୁ ଊର୍ଦ୍ଧ୍ବ ଲୋକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ମଧୂପଟଣା ଥାନା ପୋଲିସ ଏକ ଠକେଇ ମାମଲା ରୁଜୁ କରି ରାଜା କରଣଙ୍କୁ ଅଟକ ରଖି ତଦନ୍ତ କରୁଛି । ସେପଟେ ରାଜା କ୍ୟାମେରା ସାମ୍ନାରେ ମୁହଁ ଖୋଲି ନଥିଲେ ମଧ୍ୟ ସବୁ ଦୋଷ ସିଏମସି କର୍ତ୍ତୃପକ୍ଷଙ୍କର ବୋଲି ସଫେଇ ଦେଇଛନ୍ତି ।

Leave a Reply