୩୬ ଘଣ୍ଟା, ୮୦୦ କିଲୋମିଟର, ଏମିତି ଧରାପଡ଼ିଲେ ଅପହରଣକାରୀ

ଭୁବନେଶ୍ୱର: ରାଜଧାନୀରେ ବ୍ୟବସାୟୀ ରାମରୂପ ଅଗ୍ରଓ୍ୱାଲଙ୍କ ପୁଅ ଇଶାନ ଅଗ୍ରଓ୍ବାଲଙ୍କୁ ଅପହରଣ ଅଭିଯୋଗ ହୋଇଥିଲା । ଅପହରଣ ପରେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ପେଶାଲ ସ୍କ୍ୱାଡ ଓ ଲକ୍ଷ୍ମୀସାଗରର ଥାନା ପୋଲିସ ଉଦ୍ୟମରେ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିଲା । ତେବେ କିପରି ଦୁର୍ବୃତ୍ତ ଇଶାନଙ୍କୁ କିଡନାପ କଲେ ଏବଂ କିପରି ପୋଲିସ କିଡନାପରଙ୍କ ପାଖରେ ପହଞ୍ଚି ଇଶାନଙ୍କୁ ଉଦ୍ଧାର କରିଥିଲା ଆସନ୍ତୁ ଜାଣିବା…

ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଚା’ ଦୋକାନରେ ଠିଆ ହୋଇଥିବାବେଳେ ୪ ଦୁର୍ବୃତ୍ତ ଇଶାନ ଅଗ୍ରଓ୍ୱାଲଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ । ଦୁର୍ବୃତ୍ତ ଏକ ସ୍ୱିଫ୍ଟ ଗାଡିରେ ଇଶାନଙ୍କୁ କିଡନାପ୍ କରିଥିଲେ । ଦୁର୍ବୃତ୍ତ କିଡନାପ କରିବା ପରେ ପୋଲିସଠାରୁ ବର୍ତ୍ତିବା ପାଇଁ ୩ଟି ଟିମ୍ କରିଥିଲେ । ସବୁ ସମୟରେ ଏହି ୩ଟି ଟିମ୍ ପରସ୍ପରଠାରୁ ୨୦ରୁ ୩୦ କିଲୋମିଟର ଦୂରତା ରଖୁଥିଲେ । ଯେପରି ପୋଲିସ ସେମାନଙ୍କୁ ଟ୍ରାକ୍ କରିନପାରେ ସେଥିପାଇଁ ଇଶାନଙ୍କ ନିକଟରେ ଯେଉଁ କିଡନାପର ଥିଲେ ସେ ସିଧା ସଳଖ ଇଶାନଙ୍କ ବାପାଙ୍କୁ ଫୋନ କରୁନଥିଲେ । ଅନ୍ୟ ସହଯୋଗୀ ଯେଉଁମାନେ ତାଙ୍କଠାରୁ ଦୂରରେ ଥିଲେ ତାଙ୍କୁ ଫୋନ କରୁଥିଲେ,ସେମାନେ ଆଉ ଗୋଟେ ଟିମକୁ ଫୋନ କରୁଥିଲେ ଏବଂ ତୃତୀୟ ଟିମ ଯୁବକଙ୍କ ବାପାଙ୍କୁ ଫୋନ କରୁଥିଲେ । ଯାହାଫଳରେ ପୋଲିସ ତାଙ୍କ ଫୋନ ଟ୍ରାକ୍ କରିପାରୁନଥିଲା ।

ପ୍ରତିଥର କିଡନାପର ଫୋନ କରି ଫୋନ ସୁଇଚ ଅଫ କରି ୩୦ ରୁ ୪୦ କିଲୋମିଟର ପଳାଉଥିଲେ । ଏଥିସହ ସେମାନେ ବାରମ୍ବାର ତାଙ୍କ ଲୋକେସନ ପରିବର୍ତ୍ତନ କରୁଥିଲେ । ଯାହା ଫଳରେ ସେମାନଙ୍କୁ ଟ୍ରାକ୍ କରିବା ପୋଲିସ ପକ୍ଷରୁ କଷ୍ଟକର ହୋଇପଡ଼ିଥିଲା । ଦୁର୍ବୃତ୍ତଙ୍କ କବଳରୁ ଇଶାନଙ୍କୁ ମୁକୁଳାଇବା ପାଇଁ ପୋଲିସକୁ ୩୬ ଘଣ୍ଟାର ଅପରେସନ କରିବାକୁ ପଡ଼ିଥିଲା । ସ୍ପେଶାଲ ସ୍କ୍ୱାଡ ଓ ଲକ୍ଷ୍ମୀସାଗର ପୋଲିସର ୩ଟି ଟିମ୍ ଏହି ଅପରେସନରେ ସାମିଲ ଥିଲେ । ତାଙ୍କୁ ଠାବ କରିବାକୁ ପୋଲିସକୁ ପାଖାପାଖି ୮୦୦ କିଲୋମିଟର ବୁଲିବାକୁ ପଡ଼ିଥିଲା । ଶେଷରେ ପୋଲିସ ସୁନାଖଳାର ଥିବା ଏକ ଜଙ୍ଗଲ ଭିତରୁ ଅପହୃତ ହୋଇଥିବା ଇଶାନ ଅଗ୍ରଓ୍ୱାଲଙ୍କୁ ଉଦ୍ଧାର କରିଥିଲା । ପୋଲିସ ଇଶାନଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ ମଧ୍ୟ କରିଛି । ଏବେବି ପୋଲିସ ୩ ଜଣଙ୍କୁ ଖୋଜୁଛି । ଇଶାନ ଅଗ୍ରଓ୍ୱାଲଙ୍କ ପୂର୍ବରୁ ଏହି ଅଭିଯୁକ୍ତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ କିଡନାପ କରିଛନ୍ତି ବୋଲି ପୋଲିସ ପକ୍ଷରୁ କହୁଯାଇଛି ।

Leave a Reply