spot_img

Latest Posts

ଭାରତୀୟ ଯୁବକଙ୍କୁ ଉଠାଇ ନେଲେ ଚୀନ ଯବାନ

ନୂଆଦିଲ୍ଲୀ: ଏଲଏସିରେ ଚୀନ ଗତ ୨୦୨୦ ମସିହାରୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରଠାରୁ ବିବାଦ ଥମିବାର ନାଁ ନେଉନାହିଁ । ଭାରତୀୟ ଯବାନଙ୍କଠାରୁ ମୁହଁତୋଡ ଜବାବ ପାଇବା ପରେ ମଧ୍ୟ ଡ୍ରାଗନ୍ ବୁଦ୍ଧି ଶିଖୁନାହିଁ । ତାଜା ତଥ୍ୟ ଅନୁସାରେ ଚୀନର ପିଏଲଏ ସେନା ନା କେବଳ ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଛନ୍ତି, ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି । ଅରୁଣାଚଳ ପ୍ରଦେଶର ୧୭ ବର୍ଷିୟ ମିରାମ ତାରୋନଙ୍କୁ ଚୀନ୍ ସେନା ଅପହରଣ କରିନେଇଛି । ଘଟଣା ଗତ ୧୮ ତାରିଖରେ ଘଟିଛି । ଅରୁଣାଚଳ ପ୍ରଦେଶର ଲୋକସଭା ସାଂସଦ ତାପିର ଗାଓ ଏହି ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ଯୁବକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦାବି କରିଛନ୍ତି ।

ଗାଓ କହିଛନ୍ତି, ‘ଅପହୃତ ମିରାମ ଜିଡୋ ଗାଁରେ ରୁହନ୍ତି । ୧୮ ଜାନୁଆରୀରେ ଚୀନ ସେନା ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଲାର ସିୟୁଙ୍ଗଲା କ୍ଷେତ୍ରରେ ପ୍ରବେଶ କରି ଯୁବକଙ୍କୁ ଉଠାଇ ନେଇଛନ୍ତି ।’

ସେ ଆହୁରି କହିଛନ୍ତି, ‘ଅପହୃତ ଯୁବକ ପେସାରେ ଜଣେ ଶିକାରୀ । ସେ ତାଙ୍କ ସାଙ୍ଗ ସହ ଯାଇଥିବା ବେଳେ ଚୀନ ସେନା ଭାରତୀୟ ସୀମାରେ ପ୍ରବେଶ କରି ସେମାନଙ୍କୁ ଧରିଥିଲେ । ପରେ ସେମାନଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଥିବା ବେଳେ ମିରାମଙ୍କ ସାଙ୍ଗ କୌଶଳ କ୍ରମେ ସେଠାରୁ ଖସି ଆସି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।’

ସାଂସଦ ଗାଓ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାରତୀୟ ସେନାକୁ ଟ୍ୟାଗ କରି ମିରାମଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବରରେ ଡ୍ରାଗନ ଯବାନ ଅରୁଣାଚଳ ପ୍ରଦେଶର ଉପରୀ ସୁବନସିରି ଜିଲ୍ଲାର ୫ ଜଣ ଯୁବକଙ୍କୁ ଅପହରଣ କରି ନେଇଥିଲେ । ପ୍ରାୟ ଏକ ସପ୍ତାହ ସେମାନଙ୍କୁ ବନ୍ଧକ କରି ରଖିବା ସହ ଛାଡିଥିଲେ ।

Latest Posts

Don't Miss