ବ୍ରହ୍ମପୁର: ଡିମ୍ପଲ-ସୁମିତ ଦାମ୍ପତ୍ୟ କଳହ ମାମଲା । ଯେତିକି ଯେତିକି ବେଳ ଗଡ଼ୁଛି ସମ୍ପର୍କର ସୂତା ସେତିକି ଅଡ଼ୁଆ ହେଉଛି । ଥମିବାର ନାଁ ଧରୁନି ବିବାଦ । ଡିମ୍ପଲ ଶ୍ବଶୁର ଘରେ ରହିବା ନେଇ ଆସିଲା ନୂଆ ଟ୍ବିଷ୍ଟ । ଘରେ ରହିବା ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ବୋଲି କହିଲେ ସୁମିତଙ୍କ ଓକିଲ । `କୋର୍ଟ କେବଳ ଡିମ୍ପଲଙ୍କୁ ମାସିକ 17ହଜାର ଟଙ୍କା ଦେବାକୁ କହିଛନ୍ତି’ । ଏଣୁ ଘରେ ଡିମ୍ପଲଙ୍କୁ ରଖିବାକୁ ସୁମିତଙ୍କ ପରିବାର ବାଧ୍ୟ ନୁହଁନ୍ତି ବୋଲି ସୁମିତଙ୍କ ଓକିଲ କହିଛନ୍ତି । ଏହାପରେ ଡିମ୍ପଲଙ୍କ ପାଇଁ ଦୁଆର ବନ୍ଦ କରିଦେଇଛନ୍ତି ଶାଶୂଘର ଲୋକ ।
ଏବେ ଗ୍ରୀଲରେ ତାଲା ପକାଇଦେଇଛନ୍ତି ଶ୍ବଶୁର ଘର ଲୋକ । ଘର ଭିତରକୁ ଯାଇନପାରି ବାରଣ୍ଡାରେ କାନ୍ଦୁଛନ୍ତି ଡିମ୍ପଲ୍ । ସମସ୍ତେ ତାଙ୍କୁ ଠକୁଥିବା ଡିମ୍ପଲ କାନ୍ଦିକାନ୍ଦି କହିଛନ୍ତି । ଏହା ସହିତ ଗୋଟେ ଝିଅର ଅଭିଷାପ ସୁମିତଙ୍କ ପରିବାର ଉପରେ ପଡିବ ବୋଲି ଡିମ୍ପଲ କହିଛନ୍ତି । ସେପଟେ ଡିମ୍ପଲଙ୍କ ବାପା ମଧ୍ୟ ସୁମିତଙ୍କ ପରିବାର ଉପରେ ବର୍ଷିଛନ୍ତି । ଆରମ୍ଭରୁ ସୁମିତଙ୍କ ବାପା ଛଳନା କରିବା ସହିତ ବାହାନା କରୁଛନ୍ତି ବୋଲି ଡିମ୍ପଲଙ୍କ ବାପା ଅଭିଯୋଗ କରିଛନ୍ତି ।

