spot_img

Latest Posts

ମଧ୍ୟପ୍ରଦେଶରେ ହେବ ନାହିଁ ପଂଚାୟତ ନିର୍ବାଚନ, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି

ଭୋପାଳ: ସାରା ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଓମିକ୍ରନ୍ ବଢ଼ୁଥିବାର ଦେଖି ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରି ସ୍ଥିତିରେ ଆଗକୁ କିଛି ରାଜ୍ୟରେ ବିଧାନସଭା ଓ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛି ମଧ୍ୟ ପ୍ରଦେଶ ସରକାର । ମଧ୍ୟ ପ୍ରଦେଶରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶିବରାଜ ସିଂ ଚୌହାନଙ୍କ ସରକାର । ଆଜି ଶିବରାଜଙ୍କ ସରକାର କ୍ୟାବନେଟ ବୈଠକରେ ପୂର୍ବରୁ ପାରିତ ହୋଇଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ପରେ ନିଷ୍ପତ୍ତିକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି । ଏହା ପରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେବେ ।

ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଗତ ମାସରେ ରାଜ୍ୟ ସରକାର ଏକ ନିୟମ ପ୍ରଣୟନ କରି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା ପରେ ଡିସେମ୍ବର ୪ରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ସୂଚୀ ଘୋଷଣା କରିଥିଲେ । ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଥିଲା । କିନ୍ତୁ ଓମିକ୍ରନ ଆତଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ମଧ୍ୟ ପ୍ରଦେଶର ଇନ୍ଦୋରରେ ଓମିକ୍ରନର ୮ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ଶିବରାଜ ସିଂଙ୍କ ସରକାର ସତର୍କତା ଅବଲମ୍ବନ କରିଛନ୍ତି।

ରବିବାର କ୍ୟାବିନେଟ ବୈଠକରେ ଏହି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପଞ୍ଚାୟତରାଜ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଡିଆ ଏହି ପ୍ରସ୍ତାବ ଦେଇଛନ୍ତି ଏବଂ କ୍ୟାବିନେଟ୍ ଏହାକୁ ପାରିତ କରି ରାଜ୍ୟପାଳଙ୍କ ପାଖକୁ ଅନୁମୋଦନ ପାଇଁ ପଠାଇଛନ୍ତି। ଏହା ସହ ପଞ୍ଚାୟତ ନିର୍ବାଚନ ବାତିଲ ହେବାର ସମସ୍ତ ସମ୍ଭାବନା ରହିଛି ଏବଂ ରାଜ୍ୟପାଳ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ କରିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେବ ।

 

Latest Posts

Don't Miss