ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ବଡ଼ ସଫଳତା, ସ୍ମାର୍ଟ ଚିକିତ୍ସା ପାଇବେ ସାଢ଼େ ୩ କୋଟି ଲୋକ
1 min readଭୁବନେଶ୍ୱର: ମାଲକାନଗିରିରୁ ଅଗଷ୍ଟ ୨୦ ତାରିଖରେ ଆରମ୍ଭ ହୋଇଥିବା ସେବା ଓ ପ୍ରତିବଦ୍ଧତାର ଏ ଅଭିଯାନ ଆଜି ଯାଜପୁରରେ ଉଦଯାପିତ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ସାମିଲ ହୋଇଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ କାର୍ଯ୍ୟକ୍ରମରେ । ରାଜ୍ୟର ଗରିବ ଲୋକଙ୍କୁ ସବୁଦିନ ପାଇଁ ଚିକିତ୍ସା ଖର୍ଚ୍ଚରୁ ମୁକ୍ତି ମିଳିଛି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାସହିତ ରାଜ୍ୟର ୩୦ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡ଼ାର ସାଢେ ୧୧ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଯାଜପୁରର ୧୫ ଲକ୍ଷ ୪୦ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ ।
ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ରାଜ୍ୟବାସୀଙ୍କୁ ଚିକିତ୍ସା ଖର୍ଚ୍ଚ ଚିନ୍ତା ଦୂର କରିବ । ଖଣ୍ଡିଏ କାର୍ଡ ଧରି ରାଜ୍ୟର ସବୁଠାରୁ ଗରିବ ଲୋକଟିଏ ମଧ୍ୟ ଦେଶର ସବୁଠାରୁ ଭଲ ହସ୍ପିଟାଲରେ ବିନା ପଇସାରେ ପାଇପାରିବ ଚିକିତ୍ସା ସୁବିଧା । ଏହାଦ୍ୱାରା ସେ ନିଜେ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡ଼ା ସହିତ ବିଜୁ ବାବୁଙ୍କର ସମ୍ପର୍କକୁ ମନେ ପକାଇ ସେ କହିଛନ୍ତି, କେନ୍ଦ୍ରାପଡ଼ା ଥିଲା ବିଜୁ ବାବୁଙ୍କ କର୍ମ ଭୂମି । କେନ୍ଦ୍ରାପଡ଼ାବାସୀଙ୍କ ସୁଖଦୁଃଖରେ ସେ ସାମିଲ ଥିଲେ । ଆଜି ମଧ୍ୟ କେନ୍ଦ୍ରାପଡ଼ାର ମାଟି, ପାଣି ଓ ପବନରେ ବିଜୁ ବାବୁଙ୍କ ସ୍ମୃତି ଜଡ଼ିତ ହୋଇ ରହିଛି ।
କେନ୍ଦ୍ରାପଡ଼ାରେ ଶିଳ୍ପର ବିକାଶ ପାଇଁ ବହୁ ଦିନ ଧରି ଦାବି ଥିଲା । ଜିଲ୍ଲାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଶ୍ୱ ପ୍ରସିଦ୍ଧ ଷ୍ଟିଲ କମ୍ପାନୀ ଆରସେଲର ମିତ୍ତଲ ସହିତ ରାଜିନାମା କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ଦେଶର ଶିଳ୍ପ ମାନଚିତ୍ରରେ ଯୋଡ଼ ହେବ । କେନ୍ଦ୍ରାପଡ଼ାର ଭୂମିହୀନ ଚାଷୀମାନଙ୍କ ପାଇଁ ବଳରାମ ଯୋଜନାରେ ୨୧ ହଜାର ଚାଷୀଙ୍କୁ ୪୩ କୋଟି ଟଙ୍କାର ସହାୟତା ଦିଆଯାଇଛି । ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ।
ଯାଜପୁରରେ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଯାଜପୁରର ମିଶନ ଶକ୍ତିର ମାଆ ମାନଙ୍କ କାମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନଙ୍କର ବ୍ୟବସାୟକୁ ବଢ଼ାଇବା ପାଇଁ ୨୨୨ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି । ଭଲ ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ରହିଛି । ଯାଜପୁର ମ୍ୟୁନିସପାଲଟିର ସବୁ ପରିବାରକୁ ପାଇପ ପାଣିର ସୁବିଧା ଦିଆଯାଇ ପାରିଛି । ବ୍ୟାସନଗର ସହିତ ଆଉ ୮ଟି ବ୍ଲକ୍ରେ ପାଇପ ପାଣି ପାଇଁ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ସେହିପରି ବରି ଓ କୋରେଇ ବ୍ଲକ ପାଇଁ ମଧ୍ୟ ପାଇପ ପାଣିର ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି । ୨୦୨୪ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି । ସେହି ଦିନ ଠାରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି । ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା । ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀ ମାନଙ୍କୁ ଏହି ସ୍ମାର୍ଟକାର୍ଡ ବିଷୟରେ ପଚାରିବାରୁ ସେମାନେ ଏ କାର୍ଡ ପାଇ ବହୁତ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା ଏବଂ ଯାଜପୁରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ଓଡ଼ିଶା ଆଜି ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ସୁନାମ କରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଯାଜପୁରର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।