ଜୟପୁରରେ NIAର ୨ ଜଣିଆ ଟିମ୍, ହାର୍ଡକୋର ମାଓବାଦୀ ଦୁବାସି ଶଙ୍କରକୁ କରିବେ ଜେରା
ଜୟପୁର: ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍ । ଗିରଫ ହାର୍ଡକୋର ମାଓ ନେତା ଦୁବାସି ଶଙ୍କରକୁ ପଚରାଉଚରା କରିବା ପାଇଁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । କୋର୍ଟ ଏନଆଇଏ କରିଥିବା ଆବେଦନର ତର୍ଜମା କରୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଟପ୍ ମାଓ ନେତା ଦୁବାସିକୁ ଗିରଫ କରିଥିଲା ପୋଲିସ । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଅପରେସନରେ ଦୁବାସି ଶଙ୍କରକୁ ଗିରଫ କରିଥିଲେ ।
୨୦୧୨ ମସିହା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଅପରେସନ୍ ପାଇଁ ବିଏସଏଫର ଏକ ଟିମ୍ ବୋଲେରୋ ଯୋଗେ ଯାଉଥିବା ବେଳେ ଆଇଇଡି ବ୍ଲାଷ୍ଟ ସହ ଗୁଳିମିନିମୟ ହୋଇଥିଲା । ଏଥିରେ ଜଣେ କମାଣ୍ଡାଣ୍ଟ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସହ ଆଉ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଆଉ ୨ ଜଣ ଗୁରୁତର ଆହାତ ହୋଇଥିଲେ । ସେହି ଘଟଣାର ତଦନ୍ତ ପାଇଁ ଦୁବାସିକୁ ଜେରା କରିବାକୁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମଙ୍କ କୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ପୋଲିସକୁ ବଡ଼ ସଫଳତା, ୨୦ ଲକ୍ଷ ଟଙ୍କାର ଇନାମୀ ମାଓନେତା ଗିରଫ
ହାର୍ଡକୋର ନକ୍ସଲ ଦୁବାସି ଶଙ୍କର ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଦୁବାସି ଶଙ୍କର ନାଁରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବହୁ ମାମଲା ରହିଛି । ସେ ୧୯୮୭ରୁ ମାଓ ସଙ୍ଗଠନରେ ସକ୍ରିୟ ରହିଥିଲା । ଆନ୍ଧ୍ରପ୍ରଦେଶ ପୋଲିସ ନିକଟରେ ଦୁବାସି ଶଙ୍କର ବିରୋଧରେ ୩୨ଟି ମାମଲା ଥିବାବେଳେ ତେଲଙ୍ଗାନାରେ ୨୪ଟି, ମାଲକାନଗିରିରେ ୧୭ଟି ଓ କୋରାପୁଟ ପୋଲିସ ନିକଟରେ ୪ଟି ମାମଲା ରହିଛି ।