ଯୋଗୀଙ୍କୁ ଶିକ୍ଷକ ନିଯୁକ୍ତି ଘୋଟାଲା ଛାଟ; ଘେରିଲେ ରାହୁଲ-ବରୁଣ

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଶିକ୍ଷକ ପଦ ପାଇଁ ଆନ୍ଦୋଳନରତ ଆଶାୟୀଙ୍କ ଉପରେ ଆଖିବୁଜା ଲାଠି ମାଡ କରିଛି ପୋଲିସ । ଶନିବାର ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୬୯ ହଜାର ଶିକ୍ଷକ ନିଯୁକ୍ତିରେ ହେରଫେର ଅଭିଯୋଗରେ ଏକ କ୍ୟାଣ୍ଡେଲ ଯାତ୍ରା କରିଥିଲେ ଆଶାୟୀ । ତେବେ ଏହି ଯାତ୍ରାରେ ପୋଲିସ ଆଖିବୁଜା ଲାଠି ମାଡ କରିଛି । ଯାହା ଫଳରେ ଅଧିକାଂଶ ଆଶାୟୀ ଆହାତ ହୋଇଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ରାଜନୀତି ଜୋର ଧରିଛି । ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଘେରିଛନ୍ତି ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି କି ରୋଜଗାର ମାଗିଲେ ଉତ୍ତରପ୍ରଦେଶ ସରକାର ଲାଠି ଚାର୍ଜ କରୁଛନ୍ତି । ଯେତେବେଳେ ଭାରତୀୟ ଜନତା ପାର୍ଟି ଭୋଟ ମାଗିବାକୁ ଆସିବ ସେତେବେଳ ପର୍ଯ୍ୟନ୍ତ ଏହି କଥାକୁ ମନେ ରଖିଥାନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲଙ୍କ ବ୍ୟତୀତ ବରୁଣ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଟ୍ବିଟ କରି ଯୋଗୀ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ବିଗତ କିଛି ଦିନ ହେବ ବିଜେପି ସରକାରଙ୍କ ବିରୋଧରେ ହିଁ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଏହି ଘଟଣାରେ ମଧ୍ୟ ବିଜେପି ସାଂସଦ ବରୁଣ ଗାନ୍ଧୀ ଟ୍ବିଟ କରି ଯୋଗୀ ସରକାରଙ୍କୁ ଘେରିଛନ୍ତି । ବରୁଣ ଗାନ୍ଧୀ ଟ୍ବିଟ କରି କହିଛନ୍ତି କି ଏମାନେ ମଧ୍ୟ ଭାରତ ମାତାଙ୍କ ପିଲା । ଏମାନଙ୍କ କଥା ତ ମାନିବା ଦୂରର କଥା ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି ବୋଲି କହିଛନ୍ତି ବରୁଣ ଗାନ୍ଧୀ ।

Leave a Reply