spot_img

Latest Posts

୧୩୮ ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । 5T ଅଧୀନରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର  ଲୋକାର୍ପଣ ଚାଲିଛି । ୭ଦିନର ଏହି କାର୍ଯ୍ୟକ୍ରମରେ ଆଜି ଦ୍ବିତୀୟ ଦିନ ଶିଶୁଦିବସ ଅବସରରେ ବୋଦ୍ଧ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ୧୩୮ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।

କେବଳ କେନ୍ଦୁଝରରେ ୧୦୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ବୌଦ୍ଧରେ ୧୦, ସୋନପୁରରେ ୧୧ ଓ ଭଦ୍ରକରେ ୧୭ଟି ସ୍କୁଲ ଲୋକାର୍ପିତ ହୋଇଛି । ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିଲା । ଆଜି ସୁଦ୍ଧା ୩୩୦ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଏଥିରେ ହିଞ୍ଜିଳି ଓ ଶେରଗଡର ୫୦ଟି ସ୍କୁଲ ରହିଛି ।

ଏହି ଅବସରରେ ଶିଶୁଦିବସ ପାଇଁ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଶିକ୍ଷା ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ । ଶିକ୍ଷା ଭିତ୍ତିଭୂମିର ରୂପାନ୍ତର ପିଲାଙ୍କୁ ପ୍ରେରଣା ଦେବା ସହ ଉତ୍ସାହ ଭରି ଦେଇଛି । ପ୍ରଥମ ପର୍ଯ୍ୟାୟରେ ୨୪ ନଭେମ୍ବର ସୁଦ୍ଧା ରାଜ୍ୟର ୧୦୭୫ଟି ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମ ଚାଲିବ ।’ ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ସ୍କୁଲରେ ତିଆରି ହୁଏ ଦେଶ ଓ ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୂରା ଭବିଷ୍ୟତ । ସ୍କୁଲ ସମୟ ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏ ସମୟରେ ସେମାନଙ୍କ ପ୍ରତିଭା ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ଦାୟିତ୍ବ ।’

ସେ ଆହୁରି କହିଥିଲେ, ‘ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର w୍ରତିଟି ସମସ୍ୟାକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।’

୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘ସ୍କୁଲ ରୂପାନ୍ତର ଆମ ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍ । ଏହା ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ବିଧାୟକ ପ୍ରଦୀପ ଅମାତ୍ ଏବଂ ବ୍ୟୋମକେଶ ରାୟ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Latest Posts

Don't Miss