ୱାୟନାଡ଼ରେ ନୋରୋଭାଇରସରେ ୧୧ ଛାତ୍ରଙ୍କ ସମେତ ୧୩ ଜଣ ସଂକ୍ରମିତ
ୱାୟନାଡ଼: ଟଳିନି କରୋନା ବିପଦ । କେରଳରେ ଚିନ୍ତା ବଢ଼ାଇଲାଣି ନୋରୋ ଭାଇରସ୍ । ବିଭିନ୍ନ ପ୍ରାଣୀଙ୍କ ଶରୀରରୁ ଜାତ ଏହି ଭୂତାଣୁ ବିଭିନ୍ନ ପ୍ରଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଜରିଆରେ ସଂକ୍ରମିତ କରିଥାଏ । କେରଳର ୱାୟନାଡ଼ ଜିଲ୍ଲାରେ ଏହି ଭୂତାଣୁ ନିଜର କାୟା ବିସ୍ତାର କରିଛି । ୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ନୋରୋଭାଇରସ ପ୍ରତି ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଭୂତାଣୁର ମୁକାବିଲା ଲାଗି ପଦକ୍ଷେପ ନିଆଯାଇଛି ।
ଏହି ଭୂତାଣୁ ଯୋଗୁ ଲୋକମାନଙ୍କ ପେଟ ଯନ୍ତ୍ରଣା ହେବା ସହ ଜଳାପୋଡ଼ା ହୋଇଥାଏ । ଏପରି ପ୍ରବଳ ବାନ୍ତି ଓ ଡାଇରିଆ ହେବାର ଆଶଙ୍କା ଥାଏ । ଏହା ସହ ତଳିପେଟ ଯନ୍ତ୍ରଣା, ଜର, ମୁଣ୍ଡବ୍ୟଥା, ଶରୀର ପୀଡ଼ା ଅନୁଭୂତ ହୋଇଥାଏ । ତେବେ ସ୍ୱାସ୍ଥ୍ୟବାନ ଲୋକଙ୍କ ଲାଗି ଏହି ଭୂତାଣୁ ବିପଦ ସୃଷ୍ଟି କରି ନଥାଏ । ସଂକ୍ରମିତ ରୋଗୀଙ୍କ ସହ ସମ୍ପର୍କରେ ଆସିଲେ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମଣ ହୋଇଥାଏ । ସଂକ୍ରମିତ ରୋଗୀମାନ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ବରଗଡ଼ରେ ଆରମ୍ଭ ହେବ ବିଏସକେୱାଇ କାର୍ଡ ବଣ୍ଟନ, କ୍ୟାନସର ହସ୍ପିଟାଲ ପାଇଁ ହେବ ଶିଳାନ୍ୟାସ