ପଦ୍ମଶ୍ରୀ ଗ୍ରହଣ କରି ରାଷ୍ଟ୍ରପତିଙ୍କୁ କଲେ ଆଶୀର୍ବାଦ

1 min read
Nanda Prusty Raised His Hands In A Gesture Of Blessing The President

ଭୁବନେଶ୍ୱର: ନନ୍ଦ କିଶୋର ପୃଷ୍ଟି, ସମସ୍ତଙ୍କ ଶ୍ରଦ୍ଧେୟ ନନ୍ଦ ସାର୍ । ବୟସ୍ ୧୦୨ ଟପିଲାଣି ହେଲେ ପିଲାଙ୍କୁ ପାଠ ପଢ଼ାଇବା ସେମିତି ଜାରି ରହିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନନ୍ଦ ସାରଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ପଦ୍ମଶ୍ରୀ ଗ୍ରହଣ ସହ ନନ୍ଦ ସାର୍ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଇଛନ୍ତି ।

ଯାଜପୁର ସୁକିନ୍ଦା ବ୍ଲକ କନ୍ତିରା ଗାଁରେ ନନ୍ଦ ସାରଙ୍କ ଘର । ଆଖପାଖ ଅଞ୍ଚଳରେ ଚାଟଶାଳୀ ମାଷ୍ଟ୍ରେ ଭାବେ ଜଣାଶୁଣା ନନ୍ଦ ସାର୍ । ଦଶନ୍ଧି ଧରି ନନ୍ଦ ସାର୍ ଛୁଆ ଓ ବୟସ୍କଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ୧୯୪୬ରୁ ନିରବଞ୍ଚିନ୍ନ ଭାବେ ଶିକ୍ଷାଦାନ କରୁଛନ୍ତି କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟି । ସକାଳେ ୨ ଘଣ୍ଟା ଓ ଅପରାହ୍ଣରେ ୨ ଘଣ୍ଟା ଖୋଲେ ନନ୍ଦ ସାରଙ୍କ ଚାଟଶାଳୀ ।

୧୯୩୯ ମସିହାରେ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ପାସ୍ କରିଥିଲେ ନନ୍ଦ ସାର୍ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆଗକୁ ଆଉ ପାଠ ପଢ଼ି ପାରି ନଥିଲେ । ଫଳରେ ଚାଷରେ ମନ ବଳାଇ ଥିଲେ । ଗାଁ ଦାଣ୍ଡରେ ଖୋଲିଥିବା ନନ୍ଦସାରଙ୍କ ଚାଟଶାଳୀ ଏବେ ହନୁମାନ ମନ୍ଦିର ମଣ୍ଡପକୁ ଉଠିଆସିଛି । ଦିନେ ଜେଜେ ତାଙ୍କ ପାଖରେ ପଢୁଥିଲେ ଏବେ ନାତି ପଢୁଛି । ଜଣେ ଆଦର୍ଶ ଶିକ୍ଷକ ଓ ଧାର୍ମିକ ବ୍ୟକ୍ତି ଭାବେ ନନ୍ଦ ମାଷ୍ଟ୍ରେ ଆଖପାଖ ଅଞ୍ଚଳରେ ବେଶ୍ ଜଣାଶୁଣା ।

Leave a Reply