spot_img

Latest Posts

ପୁରୀରେ ୟୁଜର୍ସ ଫି’ ଆଦାୟ ନିଷ୍ପତ୍ତିକୁ ବିରୋଧ: ଜିଲ୍ଲାପାଳଙ୍କୁ ଭେଟି ପୁନର୍ବିଚାର ନେଇ ଦାବି ଜଣାଇଲେ ୩୧ ସଂଗଠନ

ପୁରୀ: ଏଣିକି ଅଳିଆ ପାଇଁ ପୁରୀ ସହରବାସୀଙ୍କ ଠାରୁ ଆଦାୟ ହେବ ୟୁଜର୍ସ ଫିସ୍ ।  ଆସନ୍ତା ୧୦ତାରିଖରୁ ପୁରୀ ପୌରପାଳିକା ପକ୍ଷରୁ ୟୁଜର୍ସ ଫିସ ବା ଶୁଳ୍କ ଆଦାୟ କରାଯିବ । ତେବେ ପୌରପାଳିକା ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଜାରି ହେବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ୩୧ରୁ ଅଧିକ ଅନୁଷ୍ଠାନ ଏହାର ଦୃଢ଼ ବିରୋଧ କରି ଆଜି ଜିଲ୍ଳାପାଳଙ୍କୁ ଭେଟି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି । ଗତ ଦୁଇବର୍ଷ ଧରି ସ୍ଵଛ ପୁରୀ,ଗର୍ବ ଆମରି ଯୋଜନାରେ ପୁରୀ ପୌରପାଳିକାରେ ପ୍ରତି ୱାର୍ଡର ସାହି ଓ ଗଳିକନ୍ଦି ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି । ଏହି କାର୍ଯ୍ୟରେ ପୌରପାଳିକାର ୫୦ ଗାଡ଼ି ଓ ୨୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି । ପ୍ରଥମ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଆର୍ଥିକ ଅନୁଦାନ ଯୋଗାଇଥିଲା । ଏବେ ପୁରୀ ପୌରପାଳିକା ୫୦୦ବର୍ଗଫୁଟ ବିଶିଷ୍ଟ ଘର ପାଇଁ ୨୫ଟଙ୍କା,୧୨ଶହ ବର୍ଗଫୁଟ ଘର ପାଇଁ୫୦ଟଙ୍କା ,୩ ହଜାର ବର୍ଗଫୁଟ ଘର ପାଇଁ ୭୦ଟଙ୍କା ଓ ୫ହଜାର ବର୍ଗଫୁଟ ଘର ପାଇଁ ମାସିକ ୧୦୦ଟଙ୍କା ଶୁଳ୍କ ଆଦାୟ ଧାର୍ଯ୍ୟ ହୋଇଛି ।

ପୂର୍ବରୁ ସହରବାସୀ ହୋଲଡିଂ ଟ୍ୟାକ୍ସ ଦେଉଥିବାରୁ ଅଳିଆ ପାଇଁ ପୁନଃ ୟୁଜର୍ସ ଫିସ ଦେବାକୁ ପଡ଼ିବ । ଏହାକୁ ପୁରୀର ବିଭିନ୍ନ ସାମାଜିକ ଅନୁଷ୍ଠାନ ତୀବ୍ର ବିରୋଧ କରିଛନ୍ତି।ୟୁଜର୍ସ ଫି ନିଷ୍ପତ୍ତିର ପୁନର୍ବିଚାର ନହେଲେ ଏକ ଲକ୍ଷ୍ୟ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ତେବେ ବାଧ୍ୟତାମୂଳକ ନୁହେଁ ଲୋକଙ୍କୁ ସ୍ଵଛ ପୁରୀ ପାଇଁ ୟୁଜର୍ସ ଫି ଦେବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।ତେବେ ଦେୟ ନଦେଲେ କି ପ୍ରକାର ପଦକ୍ଷେପ ନିଆଯିବ ସେ ନେଇ କୌଣସି ବିଷୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ନାହିଁ।ସ୍ଵଛ ଭାରତ ଅଭିଯାନ ସର୍ବେକ୍ଷଣରେ ପୁରୀ କ୍ରମାଗତ ଭାବେ ନିମ୍ନ ସ୍ଥାନ ହାସଲ କରୁଥିବାରୁ ଏହି ସ୍ୱତନ୍ତ୍ର ପଦକ୍ଷେପ ଜରିଆରେ ସୁଧାର ଆଣିବା ପାଇଁ ପୁରୀ ପୌରପାଳିକା ଲକ୍ଷ୍ୟ ରଖିଛି।ତେବେ ସର୍ବନିମ ୟୁଜର୍ସ ଫି ରଖାଯାଇଛି।

Latest Posts

Don't Miss