ପୁଣି ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା: କହିଲେ, ୪ହଜାର ଭିଡ଼ ଭିତରୁ କେବଳ ୨୩ ଜଣ ସାକ୍ଷୀ ମିଳିଲେ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲାରେ ପୁଣି ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ୪ ହଜାର ଭିଡ଼ ଥିବା ସ୍ଥାନରୁ ମାତ୍ର ୨୩ ଜଣ ସାକ୍ଷୀଙ୍କୁ ଯୋଗାଡ଼ କରିବା ନେଇ ଉତ୍ତରପ୍ରଦେଶ ପୋଲିସ ଉପରେ ମାନ୍ୟବର ସୁପ୍ରମକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଅଧିକ ସାକ୍ଷୀ ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେବା ସହ ସାକ୍ଷୀମାନଙ୍କୁ ସୁରକ୍ଷା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

 ଏଥସହିତ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆପଣଙ୍କ ପାଖରେ ଯାହା ସାକ୍ଷାୀ ଅଛି ତାହା ବ୍ୟତୀତ ଅନ୍ୟ ସାକ୍ଷୀଙ୍କୁ ଖୋଜିବାକୁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି । ତେବେ କିଛିଦିନ ତଳେ ହୋଇଥିବା ଶୁଣାଣିରେ ଉତ୍ତରପ୍ରଦେଶ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ମନମୁଖି ତଦନ୍ତ, ସ୍ପର୍ଶକାତର ଘଟଣାରେ ଶିଥିଳତା, ବ୍ୟାପକ ଅବହେଳା ନେଇ ବର୍ଷିଥିଲେ ସର୍ବୋଚ୍ଚ ଅଦାଲତ । କହିଥିଲେ ଏହା ଏକ ଅସରନ୍ତି କାହାଣୀ । ସମସ୍ତ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିବା ସହ ସୁରକ୍ଷିତ ରଖିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେତେ ଜଣଙ୍କୁ ଗିରଫ କରାଯାଇଛି, ବର୍ତ୍ତମାନ ସୁଦ୍ଧା କି କି ପଦକ୍ଷେପ ନିଆଯାଇଛି ତାହାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ବି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଲଖିମପୁର ଖେରି ହିଂସା ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଏବେ ଜେଲରେ ଅଛନ୍ତି ।

ତେବେ ମାନ୍ୟବର କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ହିଂସା ସମୟରେ ରମନ କଶ୍ୟପ ନାମକ ସାମ୍ୱାଦିକ ଏବଂ ଶ୍ୟାମ ସୁନ୍ଦର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଉପରେ ରିପୋର୍ଟ ମାଗିଛନ୍ତି ।

ଏଥିସହିତ ପଢ଼ନ୍ତୁ: ନଭେମ୍ୱର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ: ଜାଣନ୍ତୁ କେଉଁ ଦିନ କେଉଁଠି ବନ୍ଦ ରହିବ

Leave a Reply