ମୋ ସ୍କୁଲ୍ ଅଭିଯାନରେ ୧୨୩୮ ସ୍କୁଲ୍‌ରେ ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

1 min read

ଭୁବନେଶ୍ୱର: ‘ମୋ ସ୍କୁଲ୍ ଅଭିଯାନ’ ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୩୮ ବିଦ୍ୟାଳୟରେ ମୋଟ ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୪୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ବାଲେଶ୍ୱରରେ ସର୍ବାଧିକ ୧ କୋଟି ୬୧ ଲକ୍ଷ, ଯାଜପୁରରେ ୫୦ ଲକ୍ଷ ୧୦ ହଜାର, କଟକରେ ୨୭ ଲକ୍ଷ ୩୯ ହଜାର, ଭଦ୍ରକରେ ୨୫ ଲକ୍ଷ ୮୭ ହଜାର ଏବଂ ବଲାଙ୍ଗୀରରେ ୨୪ ଲକ୍ଷ ୯୨ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି। ଚଳିତ ମାସରେ ବାଲେଶ୍ୱର ଜିଲ୍ଲାରେ ପୁଣିଥରେ ରେକର୍ଡ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀମାନେ ‘ମୋ ସ୍କୁଲ୍ ଅଭିଯାନ’ସହ ଯୋଡ଼ି ହୋଇଥିବା ବେଳେ କ୍ରମାଗତ ୯ମ ଥର ପାଇଁ ରାଜ୍ୟସ୍ତରରେ ସର୍ବାଧିକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହିଭଳି ଯାଜପୁର ଜିଲ୍ଲା ଏଥର ପ୍ରଥମଥର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ମାସରେ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ିହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସହାୟତାର ହାତ ବଢାଇଛନ୍ତି ।

ପ୍ରଥମଥର ପାଇଁ ‘ମୋ ସ୍କୁଲ୍ ଅଭିଯାନ’ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳେ ରାଜ୍ୟରେ ଥିବା ସମସ୍ତ ଷ୍ଟାଣ୍ଡ୍‌ଆଲୋନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବାକୁ ନିଷ୍ପତ୍ତି ହୋଇଛି । ନିକଟରେ ଭୁବନେଶ୍ୱରସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଭଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍‌’କୁ ଏକ ସଫଳ ଅଭିଯାନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ ।

‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ହାଇସ୍କୁଲ୍‌ଗୁଡ଼ିକରେ ଶୈକ୍ଷିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ‘ମୋ ସ୍କୁଲ୍‌’ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’ର ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ଅତିରିକ୍ତ ବଜେଟରେ ‘ମୋ ସ୍କୁଲ୍‌’କୁ ୮୮୭ କୋଟି ଟଙ୍କା ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛି ।

Leave a Reply